ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସୁଛନ୍ତି । କଟକଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ନିଜ ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସଫଳତା କଥା କହିବେ । ତେବେ ଏହାକୁ ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଏକ ପ୍ରଚାର ଅଭିଯାନ ଭାବେ ଦେଖାଯାଉଛି । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ନିଜର ଦୂର୍ଗ ହିନ୍ଦୀଭାଷୀ ଅଂଚଳରେ କିଛି ଆସନ ହରାଇବା ଅକଳନ କରୁଛି । ତାହାର ଭରଣା ଓଡ଼ିଶା, ପଶ୍ଚିମବଙ୍ଗ ଓ ଦକ୍ଷିଣ ରାଜ୍ୟମାନଙ୍କରୁ କରିବାକୁ ଯୋଜନା କରୁଛି । କହିବା ବାହୁଲ୍ୟ ଓଡ଼ିଶା ବିଜେପିର ନିର୍ବାଚନୀ ଯୋଜନାରେ ଏକ ଗୁରୁତ୍ୱପୂର୍ଣ ସ୍ଥାନରେ ରହିଛି । ଏଣୁ ମୋଦିଙ୍କ ଏହି ଗ୍ରସ୍ତ ।
ବିଜେପିର ଏହି ଚାଲକୁ ଠିକଭାବେ ବୁଝିପାରିଛି ଓଡ଼ିଶାର ଶାସକ ବିଜେଡି । ଦଳ ସେଥିପାଇଁ ଆଗୁଆ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି । ଲୋକମାନଙ୍କୁ ସରକାରର ସଫଳତା ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ତିନିସୂତ୍ରୀ ଫର୍ମୁଲା ଅନୁଯାୟୀ କାମ କରିବାକୁ ମନ୍ତ୍ରୀମାନଙ୍କୁ କୁହାଯାଇଛି । ଏହା ତିନିଟି ସୂତ୍ର ହେଉଛି ଉତ୍ସର୍ଗୀକୃତ ମନୋଭାବ, ଦୃଢ ସଙ୍କଳ୍ପ ଓ ନିଷ୍ଠା । ଏଥି ସହିତ ପ୍ରତି ମିନିଟ୍ କଠିନ ପରିଶ୍ରମ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସରକାରଙ୍କର ବିଭିନ୍ନ କାର୍ଯ୍ୟର ସଫଳତା ଉପରେ ଆଲୋଚନା ହୋଇଛି । ବିଗତ ଚାରିବର୍ଷ ମଧ୍ୟରେ ୧୭ଲକ୍ଷ ପକା ଘର ର୍ନିମାଣ ହୋଇଥିବାବେଳେ ଆସନ୍ତାବର୍ଷ ମାର୍ଚ୍ଚ ୫ ତାରିଖ ସୁଦ୍ଧା ଅବଶିଷ୍ଟ ୭ଲକ୍ଷ ଘର ର୍ନିମାଣ କରାଯିବ ।
ସହରାଞ୍ଚଳର ବସ୍ତିବାସିନ୍ଦାକୁ ଜମି ଓ ସମ୍ପତ୍ତି ଅଧିକାର ଦେବାପାଇଁ ସରକାର ସଙ୍କଳ୍ପବଦ୍ଧ । ଏହି ଯୋଜନାରେ ସରକାର ପ୍ରାୟ ୧୦ଲକ୍ଷ ଗରିବ ଲୋକଙ୍କୁ ସାମିଲ ପାଇଁ କାର୍ୟ୍ୟ କରୁଛନ୍ତି । ଏଭଳି ଯୋଜନା ବିଶ୍ୱରେ ପ୍ରଥମ ।
କୃଷିର ବିକାଶ ପାଇଁ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନର କରିବାର ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୭ଲକ୍ଷ ହେକଫର ଜମିରେ ଜଳସେଚନ ସୁବିଧା କରାଯାଇ ପାରିଛି ଛ ୨୦୧୯ ଅପ୍ରେଲ ସୁଦ୍ଧା ସରକାର ସମ୍ପୂର୍ଣ୍ଣ ଲକ୍ଷ୍ୟ ହାସଲ କରିବେ ଛ ସେହିଭଳି ଖାଦ୍ୟଶସ୍ୟ ଉତ୍ପାଦନ ୧୧୭ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚିଛି, ଯାହାକି ଏକ ରେକର୍ଡ ।
ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଲାଗି ୪ବର୍ଷରେ ୨୨,୫୦୦ କିଲୋମିଟରର ଗ୍ରାମ୍ୟରାସ୍ତା ର୍ନିମାଣ କରି ଓଡିଶା ସାରା ଦେଶରେ ଆଗରେ ରହିଛି । ଏହି ସମୟ ମଧ୍ୟରେ ବିଜୁ ସେତୁ ଯୋଜନାରେ ୬୦୦ ସେତୁ ର୍ନିମାଣ ହୋଇଛି ।