ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି

119

ଭୁବନେଶ୍ୱର: ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ୍‌କୁ ମୂଳମନ୍ତ୍ର କରିଥିବା ସାର୍ବଜନୀନ ବ୍ୟାଙ୍କ୍ ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ସୌରଭ ଗାଙ୍ଗୁଲିଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି । ଦାଦା ଭାବେ ପରିଚିତ ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ, ଶ୍ରୀଯୁକ୍ତ ସୌରଭ ଗାଙ୍ଗୁଲି ବ୍ୟାଙ୍କ୍‌ର ବ୍ରାଣ୍ଡ୍ ବାର୍ତାକୁ ବ୍ୟାପକ ଭାବେ ଲୋକମାନଙ୍କ ପାଖରେ ପହଂଚାଇବାରେ ସହାୟକ ହେବେ ଏବଂ ସେ ବ୍ୟାଙ୍କ୍‌ର ଉତ୍ପାଦ ଓ ସେବାର ପ୍ରଚାର କରିବେ ।
ଉଭୟ ବ୍ରାଣ୍ଡ୍‌ର ମୂଲ୍ୟବୋଧ ସମାନ ରହିଛି । ୨୦୦୦ ପ୍ରାରମ୍ଭିକ ସମୟରେ ଭାରତୀୟ କ୍ରିକେଟ୍ ଟିମ୍‌ର ରୂପାନ୍ତରଣର ନେତୃତ୍ୱ ନେଇଥିଲେ ଶ୍ରୀଯୁକ୍ତ ସୌରଭ ଗାଙ୍ଗୁଲି, ସେହିପରି ଭରତର ଗ୍ରାମୀଣ ଓ ଅର୍ଧ ସହରାଚଂଳରେ ସ୍ୱଚ୍ଛଳ ନଥିବା ପରିବାରଗୁଡ଼ିକର ରୂପାନ୍ତରଣ ନେତୃତ୍ୱ ନେଇଛି ବନ୍ଧନ ବ୍ୟାଙ୍କ୍ । ଉଭୟ ହେଉଛନ୍ତି ଆଇକନିକ୍ ବ୍ରାଣ୍ଡ୍ ଯାହା ପୂର୍ବ ଭାରତରୁ ସୃଷ୍ଟି ହୋଇଛନ୍ତି । ତଥାପି, ବିଗତ ବର୍ଷଗୁଡ଼ିକରେ ସେମାନେ ନିଜକୁ ବଡ଼ ଭୌଗୋଳିକ ଅଂଚଳରେ ଉପସ୍ଥାପିତ କରିପାରିଛନ୍ତି ଏବଂ ସେମାନେ ଆଉ ଆଂଚଳିକ ଆଇକନ୍ ହୋଇରହିନାହାନ୍ତି । ପ୍ରଥମେ ଜଣେ ଖେଳାଳୀ, ତା ପରେ ଜଣେ ଅଧିନାୟକ ଏବଂ ଏବେ ପ୍ରଶାସକ ଭାବେ ସୌରଭ ଜଣେ ବିଶ୍ୱ ଆଇକନ୍‌ରେ ପରିଣତ ହୋଇଛନ୍ତି । ବନ୍ଧନ ବ୍ୟାଙ୍କ୍ ହେଉଛି ଏକ ସର୍ବଭାରତୀୟ ବ୍ୟାଙ୍କ୍ ଯାହା ସାରା ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ବ୍ୟାପୀଥିବା ୫,୬୪୪ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ଜରିଆରେ ବଡ଼ କିମ୍ବା ଛୋଟ ସମସ୍ତଙ୍କୁ ଏହା ବ୍ୟାଙ୍କ୍ ସେବା ପ୍ରଦାନ କରୁଛି ।
ଏ ସମ୍ପର୍କରେ ବନ୍ଧନ ବ୍ୟାଙ୍କ୍‌ର ଏମ୍‌ଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ନିଜର ଦୂରଦୃଷ୍ଟି, ଉତ୍ସର୍ଗୀକୃତ ମନୋଭାବ ଓ ଖେଳ ପ୍ରତି ପ୍ରତିବଦ୍ଧତା ଯୋଗୁଁ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ । ସୌରଭ ଏବଂ ବନ୍ଧନ ବ୍ୟାଙ୍କ୍ ମଧ୍ୟରେ ଥିବା ମୂଲ୍ୟବୋଧ ଭିତରେ ଅନେକ ସମାନତା ରହିଛି । ସେ ମଧ୍ୟ ଜଣେ ବିଶ୍ୱ ଆଇକନ୍ ଏବଂ ସବୁ ବର୍ଗରୁ ତାଙ୍କ ପ୍ରତି ସମ୍ମାନ ରହିଛି । ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ଜରିଆରେ ଆମେ ଅଧିକ ଧ୍ୟାନ ଆକର୍ଷଣ କରିପାରିବୁ, ଯାହା ଜରିଆରେ ବ୍ରାଣ୍ଡ୍ ପ୍ରତି ସଚେତନତା ବୃଦ୍ଧି ପାଇବ ଏବଂ ଆମର ଅଭିବୃଦ୍ଧି କାହାଣୀ ଆହୁରି ତ୍ୱରାନ୍ୱିତ ହୋଇପାରିବ । ବ୍ୟାପକ ବର୍ଣ୍ଣାଳୀର ଗ୍ରାହକମାନଙ୍କ ସହ ଦୃଢ଼ ଭାବେ ଯୋଡ଼ି ହେବା ଏବଂ ଅନ୍ତର୍ଭୁକ୍ତୀକରଣ ବ୍ୟାଙ୍କିଙ୍ଗ୍ ପାଇଁ ଆମର ଜାରି ରହିଥିବା ମିସନ୍‌କୁ ସୁଦୃଢ଼ କରିବା ଦିଗରେ ଏହି ସହଯୋଗିତା ହେଉଛି ଆଉ ଏକ ପଦକ୍ଷେପ ।’’
ଏହି ସହଯୋଗିତା ସମ୍ପର୍କରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, “ବ୍ରାଣ୍ଡ୍ ବନ୍ଧନକୁ ଆଗକୁ ବଢ଼ିବାର ମୁଁ ଅତି ନିକଟରୁ ଦେଖିଛି ଏବଂ ଏଭଳି ଅଳ୍ପ ସମୟ ଭିତରେ ଏହା ଏଭଳି ଧରଣର ପ୍ରଗତି କରିଥିବାରୁ ମୁଁ ଗର୍ବିତ । ବ୍ୟାଙ୍କ୍‌ର ଯାହା ମୁଁ ଅଧିକ ପସନ୍ଦ କରେ ତାହା ହେଉଛି ଏହା ଏକ ଉଦ୍ଦେଶ୍ୟ ଦ୍ୱାରା ଅନୁପ୍ରାଣିତ ବ୍ୟାଙ୍କ୍‌ ଏବଂ ତୃଣମୂଳ ସ୍ତରରେ ନିରନ୍ତର ପ୍ରଭାବ ସୃଷ୍ଟି କରିବା ପ୍ରତି ଏହା ପ୍ରତିବଦ୍ଧ ରହିଛି । ଏହା ମୋ ସହିତ ବେଶ ଖାପଖାଉଛି, କାରଣ ପ୍ରଥମେ ଅଧିନାୟକ ଭାବେ ଏବଂ ଏବେ ପ୍ରଶାସକ ଭାବେ ମୁଁ ସର୍ବଦା ନିରନ୍ତର ପ୍ରଭାବ ପାଇଁ ଲକ୍ଷ୍ୟ ରଖିଥାଏ । ସାରା ଦେଶରେ ବନ୍ଧନ ବ୍ୟାଙ୍କ୍‌କୁ ଅଧିକ ମାନ୍ୟତା ପ୍ରଦାନ କରିବାର ଦାୟିତ୍ୱ ହାସଲ କରିଥିବାରୁ ମୁଁ କୃତଜ୍ଞ ମନେ କରୁଛି ।’’
ପୂର୍ବରୁ କରାଯାଇଥିବା ଘୋଷଣା ଅନୁସାରେ, ବନ୍ଧନ ବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ଆସନ୍ତା କିଛି ବର୍ଷ ଭିତରେ ସଂପତି ପୋର୍ଟଫୋଲିଓରେ ବିବିଧତା, ନୂତନ ପ୍ରତିଭାଙ୍କୁ ନିଯୁକ୍ତି ଦେବା ସହ ଲୋକଙ୍କ ଦକ୍ଷତାକୁ ସୁଦୃଢ଼ କରିବା, ବ୍ୟାଙ୍କ ଭିତର ପ୍ରଯୁକ୍ତି, ଆନାଲିଟିକ୍ସ ଓ ଡିଜିଟାଲ୍ ଦକ୍ଷତାର ବିକାଶ ଏବଂ କାସା ଚଳନ୍ତୀ ଖାତା ସଂଚୟ ଖାତା କୁ ସୁଦୃଢ଼ କରିବା ସହ ଗ୍ରାହକମାନଙ୍କ ସହିତ ଗଭୀର ଭାବେ ଯୋଡ଼ି ହେବା ଗୁରୁତ୍ୱର କ୍ଷେତ୍ର ହେବ । ଏଥି ସହିତ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କରେ ୫୫୧ ଶାଖା ଖୋଲିବାକୁ ଯୋଜନା ରଖିଛି ।

Comments are closed, but trackbacks and pingbacks are open.