ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଅଜିତ୍ ଦାସଙ୍କର ଆଜି ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୭୬ ମସିହାରେ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର ଜରିଆରେ ଓଲିଉଡ଼୍ରେ ପ୍ରବେଶ କରିଥିବା ଅଜିତ୍ ଦାସ ବହୁ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ସିନେପ୍ରେମୀଙ୍କ ପ୍ରିୟଭାଜନ ହୋଇପାରିଥିଲେ ।
ଅଭିମାନ, ଗୌରୀ, ବଳିଦାନ, ଫୁଲଚନ୍ଦନ, ଗୋଲାମଗିରି, ହାକିମ୍ବାବୁ, ସହରିବାଘ, ତୁଣ୍ଡ ବାଇଦ ଭଳି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ତାଙ୍କ ନିଖୁଣ ଅଭିନୟ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମେତ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଉକ୍ରଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବେ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଅଜିତ୍ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ତାଙ୍କୁ ଜଣେ ମହାନ ପ୍ରତିଭା ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ତାହା ପୂରଣ କରିବାକୁ ବହୁ ବର୍ଷ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଅସଂଖ୍ୟ ସିନେପ୍ରେମୀଙ୍କ ହୃଦୟରେ ସର୍ବଦା ଜୀବିତ ରହିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନେତା ଅଜିତ୍ ଦାସଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା ବୋଲି କହିଛନ୍ତି । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅଜିତ୍ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।