୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

126

ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଲଘୁଚାପ ପୂର୍ବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ଲଗାଣ ବର୍ଷା ଜାରି ରହିଛି ।

ବିଶେଷ କରି ମହାନଦୀର ଉପରମୁଣ୍ଡରୁ ହୀରାକୁଦକୁ ୩ଲକ୍ଷ ୯୩ ହଜାର କ୍ୟୁସେକ୍‍ ଜଳ ପ୍ରବେଶ କରୁଥିବାରୁ ୨୦ଟି ଫାଟକ ଦେଇ ୩ଲକ୍ଷ ୪୦ହଜାର କ୍ୟୁସେକ୍‍ ଜଳ ନିଷ୍କାସିତ ହେଉଛି । ଏବେ କଟକର ମୁଣ୍ଡୁଳି ଦେଇ ୩ଲକ୍ଷ ୪୬ହଜାର କ୍ୟୁସେକ୍‍ ଜଳ ପ୍ରବାହିତ ହେଉଛି । ଫଳରେ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏହା ବ୍ୟତୀତ ମଥାନିଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ରାଜ୍ୟର ବ୍ରାହ୍ମଣି, ସୁବର୍ଣ୍ଣରେଖା, ଇବ୍‍ ଆଦି ନଦୀ ଫୁଲିବାରେ ଲାଗିଛି । ତେବେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା
ଦେଇଛନ୍ତି ।

Comments are closed, but trackbacks and pingbacks are open.