ଏଣିକି ଭୁବନେଶ୍ୱରରେ ବିବାହ, ବ୍ରତଘର, ଶୁଦ୍ଧିକାର୍ଯ୍ୟ ଆଦି ସାମାଜିକ କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ଏନେଇ ବି.ଏମ୍.ସି. ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ହେବେ । ଆଗକୁ ଶୀତ ଋତୁ ଆସୁଥିବାରୁ କୋଭିଡ଼ କଟକଣାକୁ ବି.ଏମ୍.ସି. ଆହୁରି କଡ଼ାକଡି କରିଛି । ସୂଚନାଯୋଗ୍ୟ, ଗତମାସରେ କୋଭିଡ୍ ଗାଇଡ୍ ଲାଇନ୍କୁ କୋହଳ କରାଯାଇ ସାମାଜିକ ଉତ୍ସବରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଥିଲା ।
ବି.ଏମ୍.ସି.ର ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ସାମାଜିକ କାର୍ଯ୍ୟ ପାଇଁ ପ୍ରଶାସନଠାରୁ ଅନୁମତି ନେବାକୁ ପଡିବ । ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ । ବୟସ୍କ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ଶିଶୁଙ୍କୁ ମଧ୍ୟ ଉତ୍ସବରେ ସାମିଲ ନ ହେବାକୁ କୁହାଯାଇଛି ।
ଉତ୍ସବ ସ୍ଥଳର ପ୍ରବେଶ ପଥରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ହାତଧୁଆ ପାଇଁ ଆୟୋଜକ ସମସ୍ତ ବ୍ୟବସ୍ଥା କରିବେ । ଖାଇବା ସମୟ ବ୍ୟତୀତ ସବୁ ସମୟରେ ମାସ୍କ ବ୍ୟବହାର ଓ ୬ ଫୁଟ୍ର ସାମାଜିକ ଦୂରତା ବାଧ୍ୟତାମୂଳକ ହେବ । ଉତ୍ସବ ହଲ୍ ମଧ୍ୟରେ ଛେପ ପକାଇବା ଏବଂ ପାନ, ଗୁଟଖା ସେବନକୁ ବାରଣ କରାଯାଇଛି ।