ଚଳିତ ପାର୍ବଣ ମାସରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେ ଅଧିକ ଭିଡ଼ କରିବା ନାହିଁ ଏବଂ ଅଧିକ ସମୟ ବାହାରେ ଏକାଠି ରହିବା ନାହିଁ । କାରଣ ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢ଼ିପାରେ ବୋଲି ସେ କହିଛନ୍ତି ।
ପାର୍ବଣ ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତେ ଘରୁ ବାହାରିବା ସହିତ ସଜାଗ ରହିବା ଉଚିତ୍ । ତା’ହେଲେ ଆମେ କରୋନାକୁ ପ୍ରତିହତ କରିପାରିବା । କରୋନା
ସଂପର୍କରେ ବହୁ ବିଶେଷଜ୍ଞ ଏହା ସହ ଆଇସିଏମ୍ଆର ନିର୍ଦ୍ଦେଶକ ମଧ୍ୟ ଦେଶବାସୀଙ୍କୁ ସଜାଗ ରହିବାକୁ ଅନୁରୋଧ କରିଛନ୍ତି ।
ରାଜ୍ୟରେ ଆଜି କରୋନାରୁ ୬୯୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୮୩୩ରେ ପହଞ୍ଚିଛି । ତେବେ ଆଜି କରୋନାରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ, କଟକରୁ ୭୫ ଏବଂ ଜଗତ୍ସିଂହପୁର ଜିଲ୍ଲାରୁ ୩୦ ଜଣ ସୁସ୍ଥ ହୋଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୪୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୯୯ ଜଣଙ୍କ ସମେତ ୧୮ ବର୍ଷରୁ କମ୍ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ହଜାର ୯୫୩କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୦, କଟକରୁ ୬୨ ଏବଂ ଷ୍ଟେଟ୍ପୁଲ୍ରୁ ୪୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୨୦୨କୁ ବୃଦ୍ଧି ପାଇଛି ।