କରୋନା ମହାମାରୀ ସମୟରେ ପିତାମାତାଙ୍କ ହରାଇ ଅନାଥ ହୋଇଯାଇଥିବା ବେସାହାରା ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନା ‘ଆଶୀର୍ବାଦ’ର ଶୁଭାରମ୍ଭ କରିଛନ୍ତି

0 61

ଆଶୀର୍ବାଦ ଯୋଜନା କରୋନା ମହାମାରୀ ସମୟରେ ପିତାମାତାଙ୍କ ହରାଇ ଅନାଥ ହୋଇଯାଇଥିବା ବେସାହାରା ପିଲାମାନଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନା ‘ଆଶୀର୍ବାଦ’ର ଶୁଭାରମ୍ଭ କରିଛନ୍ତି । ୨୦୨୦ ମସିହା ଏପ୍ରିଲ୍‍ ପହିଲା କିମ୍ବା ତା’ପରେ ଉଭୟ ବାପା-ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା, ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଛନ୍ତି ।


ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମତଃ ଯେଉଁ ପିଲାମାନେ ବାପା-ମାଆ ଉଭୟଙ୍କୁ ହରାଇଥିବେ, ଦ୍ୱିତୀୟ ବର୍ଗରେ ଯେଉଁ ପିଲାମାନେ ପିତାମାତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବେ ଏବଂ ତୃତୀୟ ବର୍ଗରେ ଯେଉଁ ପିଲାମାନେ ପରିବାରର ଉପାର୍ଜନକାରୀ ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣକୁ ହରାଇଥିବେ,
ସେହିମାନେ ଏହି ଯୋଜନାରୁ ଉପକୃତ ହୋଇପାରିବେ । ଆଶୀର୍ବାଦ ଯୋଜନା ଅନୁଯାୟୀ ବାପା-ମାଆ ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଅନ୍‍ଲାଇନ୍‍ରେ ଜମା କରାଯିବ । ପିଲାକୁ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ । ତା’ ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବେ ଗ୍ରହଣ କରେ, ତେବେ ଆଉ ସହାୟତା ଦିଆଯିବ ନାହିଁ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ
କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଏଥିସହ ଜାତୀୟ, ରାଜ୍ୟ ଓ ଖାଦ୍ୟସୁରକ୍ଷା ଯୋଜନାରେ ଏମାନଙ୍କୁ ସାମିଲ କରାଯିବ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗଯୋଗରେ ରହି ପିଲାର ଭଲମନ୍ଦ ଉପରେ ନଜର ରଖିବେ । ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟମାନେ ମୃତ୍ୟୁ ପ୍ରମାଣପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ସମିତିକୁ ଆବେଦନ କରିପାରିବେ । ସେହିଭଳି ଉଚ୍ଚଶିକ୍ଷା ପାଇଁ ଏହି ବର୍ଗର
ପିଲାଙ୍କୁ ରାଜ୍ୟ ସରକାରଙ୍କ ଗ୍ରୀନ୍‍ ପ୍ୟାସେଜ୍‍ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ ।

ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି, ତହସିଲ୍‍ଦାର ଓ ପୁଲିସ୍‍ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ତେବେ ଅନାଥ ପିଲାମାନଙ୍କର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ଜିଲ୍ଲା ସୁରକ୍ଷା ୟୁନିଟ୍‍ ନିୟମିତ ଭାବରେ ସେମାନଙ୍କ ଭଲମନ୍ଦ ବୁଝିବାପାଇଁ ଯୋଗାଯୋଗ ରଖିବେ । ଅସମୟରେ ବାପା-ମାଆଙ୍କୁ ହରାଇଥିବା ଜଣେ ବି ଅସହାୟ ଶିଶୁ ଯେପରି ଏ ଯୋଜନାରୁ ବାଦ୍‍ ନ ପଡନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ
ନିୟମିତ ଭାବରେ ପ୍ରତିବର୍ଷ ସ୍ପେଶିଆଲ ଡ୍ରାଇଭ୍‍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply