ରାଜ୍ୟରେ ରବିବାରରେ ୧୯ଟି ଜିଲ୍ଲା ଏବଂ ଷ୍ଟେଟ୍ପୁଲ୍ରୁ ୨୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୨ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ରେ ପହଞ୍ଚିଛି ।
ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୬ ଜଣ ରହିଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୩୩, ବରଗଡ଼ ଓ କଳାହାଣ୍ଡିରୁ ୨୨ ଜଣ ଲେଖାଏଁ, କଟକରୁ ୧୫, ଝାରସୁଗୁଡ଼ାରୁ ୧୧ ଏବଂ ଷ୍ଟେଟପୁଲରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବାପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୬୯୧ରେ ପହଞ୍ଚିଛି । ରାଜ୍ୟରେ ୧ ହଜାର ୭୩୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଏଯାବତ୍ ୯୦ ଲକ୍ଷ ୧ ହଜାର ୪୫୦ଟି ନମୁନା ପରୀକ୍ଷା କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ବହୁଦିନର ବ୍ୟବଧାନ ପରେ ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ମୃତକ ଜଣକ କଳାହାଣ୍ଡି ଜିଲ୍ଲାର ୩୫ ବର୍ଷୀୟ ପୁରୁଷ ଓ ସେ କରୋନା ବ୍ୟତୀତ ମଧୁମେହ ଏବଂ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୯୨୧କୁ ବୃଦ୍ଧି ପାଇଛି ।