ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ୨ ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ।
ଆକାଶମାର୍ଗରୁ ଅନୁଧ୍ୟାନ କରିବା ପରେ ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏହି ଅବସରରେ ସେ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏହାଛଡ଼ା ଏକ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ କ୍ଷୟକ୍ଷତିକୁ ଆକଳନ କରିବାକୁ ଓଡ଼ିଶା ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ସଙ୍କଟମୟ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା
ଦେଇଥିଲେ। ସେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭିତିଭୂମିର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।