ଆପଣ ଜାଣନ୍ତି କି ମହାଦେବ କାହିଁକି ନିଜ ବେକରେ ବିଷଧର ସାପ ରଖିଥାନ୍ତି? ଶାସ୍ତ୍ର କଣ କହୁଛି ?
ହିନ୍ଦୁ ଧର୍ମରେ ସାପର ବିଶେଷ ସ୍ଥାନ ରହିଛି । ଭଗବାନ ନାରାୟଣ ଶେଷନାଗ ଉପରେ ଶୟନ କରିଥାନ୍ତି । ସେହିପରି ଭଗବାନ ଶିବଙ୍କ ବେକ, ଜଟା ଓ ଶରୀରରେ ସାପ ଗୁଡେଇହୋଇ ରହିଥାନ୍ତି । ଆପଣଙ୍କର ସମୁଦ୍ର ମନ୍ଥନ କଥା ମନେ ଥିବ ନିଶ୍ଚୟ। ମନ୍ଥନ ବେଳେ ବାହାରିଥିବା ଅମୃତକୁ ଦେବତାମାନେ ପିଇଥିବା ବେଳେ ବାସୁକି ପେଟରୁ ବାହାରିଥିବା ବିଷ ତକ ପିଇ ଦେଇଥିଲେ ମହାଦେବ। ସେ ବିଷ ପିଇବା ପରେ ମହାଦେବଙ୍କ ଗଳା ନୀଳ ହୋଇ ଯାଇଥିଲା। ସେଥିପାଇଁ ତାଙ୍କ ନାମ ନୀଳକଣ୍ଠେଶ୍ୱର। ସେବେଠାରୁ ସେ ବିଷଧର ସାପକୁ ନିଜ ବେକରେ ପକାଇ ରଖିଛନ୍ତି। କିନ୍ତୁ ମହାଦେବଙ୍କ ବେକରେ ସାପ ରହିବାର ଅର୍ଥ କଣ ?
ଏହାର ବିଭିନ୍ନ ପ୍ରକାରର ଶାସ୍ତ୍ରୀୟ ଅର୍ଥ ରହିଛି । ପ୍ରଥମତଃ ସାପ ହେଉଛି ଜନ୍ମ ମରଣର ପ୍ରତୀକ, ଅର୍ଥାତ ସାପ ଯ଼େପରି କାତି ଛଡାଇଥାଏ, ସେହିପରି ଶରୀର ହେଉଛି ଆତ୍ମାର ଏକ ପୋଷାକ ମାତ୍ର । ଆତ୍ମା ବିଭିନ୍ନ ଶରୀର ବଦଳାଇଥାଏ । କିନ୍ତୁ ପରମାତ୍ମା ହିଁ ଆତ୍ମାର ପରମଗତି ଅଟନ୍ତି । ଏହାର ଆଉ ଏକ ଅର୍ଥ ହେଉଛି ମହାଦେବଙ୍କ ବେକରେ ସାପ ତିନିଥର ଗୁଡେଇ ହୋଇ ରହିଥାଏ । ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦର୍ଶାଉଛି ଓ ଏହା ମଧ୍ୟ କହୁଛି କି ମହାକାଳ ଶିବ ଏସବୁ ସମୟ ଚକ୍ରରୁ ଉପରେ । ଆଉ ଏକ ବ୍ୟାଖା ହେଉଛି, ଶିବ ତାଙ୍କ ବେକରେ ସାପ ମାଳ ପିନ୍ଧି ଦୁନିଆକୁ ଏହି ସୂଚନା ଦେଇଛନ୍ତି ଯେ ଯେତେବେଳେ ନିଜର ଅହଂକାର ଉପରେ ବ୍ୟକ୍ତି ନିୟନ୍ତ୍ରଣ ଅଣିପାରେ ସେତେବେଳେ ଯେକୌଣସି ବି ବିଷକୁ ବ୍ୟକ୍ତି ଗହଣା କରି ପିନ୍ଧିପାରେ।