• ୩୬ ମାସରେ ସଂପୂର୍ଣ୍ଣ ହେବ ନିର୍ମାଣ କାର୍ୟ୍ୟ
• ବିଦେଶରୁ ସାର ଆମଦାନୀ ହ୍ରାସ ସହ ସଞ୍ଚୟ ହେବ ବୈଦେଶିକ ମୁଦ୍ରା
• ତାଳଚେରକୁ ବୀରଭୂମି ବର୍ଣ୍ଣନା କଲେ ନରେନ୍ଦ୍ର ମୋଦୀ
• ତାଳଚେର, ଗୋରଖପୁର, ସିନ୍ଦ୍ରୀ, ରାମଗୁଣ୍ଡମ, ବରୌଣୀ ସାର କାରଖାନା ହେବ ରାଷ୍ଟ୍ର ନିର୍ମାଣର ଅଂଶବିଶେଷ
• ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଗାଣ ସ୍କିମ ପାଇଁ ପ୍ରତି ମାସରେ ୪୫୦ କୋଟି ଟଙ୍କା ଦେଉଛନ୍ତି କେନ୍ଦ୍ର ସରକାର
• ଓଡ଼ିଶାରେ ୧.୩୦ କୋଟି ଜନଧନ ବ୍ୟାଙ୍କ ଖାତା
• ସ୍ୱଚ୍ଛତା ଅଭିଯାନରେ ଓଡ଼ିଶାକୁ ଅନେକ କିଛି କରିବା ବାକି ଅଛି
• ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତରେ ଓଡ଼ିଶା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ୫୭୦ କୋଟି ଟଙ୍କା ଖର୍ଚ୍ଚରେ ରାଉରକେଲା ସୁପର ସ୍ପେଶାଲିଟି ମେଡିକାଲ
• କଟକ, ବୁର୍ଲା, ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ ପାଇଁ ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା
• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ଏଲପିଜି ସଂଯୋଗ ହାର ୨୨ ରୁ ୬୫ ପ୍ରତିଶତକୁ ବୃଦ୍ଧି
• ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ରାଜ୍ୟର ୫୦ ଲକ୍ଷ ଲୋକ ସାମିଲ
• ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ଆବାସ ଯୋଜନାରେ ଓଡ଼ିଶାକୁ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ ମଞ୍ଜୁରି
• ଓବିସି କମିଶନକୁ ସାମ୍ବିଧାନିକ ମର୍ୟ୍ୟାଦା, ଏନଡିଏ ସରକାରଙ୍କ ଐତିହାସିକ ନିଷ୍ପତ୍ତି
ଭୁବନେଶ୍ୱର . -ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଜି ପୂର୍ବାହ୍ନରେ ତାଳଚେରଠାରେ ବହୁ ଦିନରୁ ପଡି ରହିଥିବା ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ୟ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ମହତ୍ୱାକାଂକ୍ଷୀ ଯୋଜନା ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ଆଧୂନିକ ପ୍ରଯୁକ୍ତି କୌଶଳ ଉପଯୋଗରେ କୋଇଲାରୁ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେବ ଏବଂ ସେହି ବାଷ୍ପକୁ ବ୍ୟବହାର କରି ରସାୟନିକ ସାର ପ୍ରସ୍ତୁତ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ସମୀକ୍ଷା କରି ଦେଖିଲେ ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଅଧାପନ୍ତରିଆ ଅଥବା ପୁନରୁଦ୍ଧାର ଅପେକ୍ଷାରେ ପଡି ରହିଛି । ସେଥିମଧ୍ୟରେ ତାଳଚେର ସାର କାରଖାନା ଅନ୍ୟତମ । ତାଙ୍କ ସରକାର ଏହି ପ୍ରକଳ୍ପକୁ ପୁଣି ଥରେ ଆଧୁନିକ ଟେକ୍ନୋଲୋଜିରେ ନିର୍ମାଣ କରିବା ଲାଗି ସଂକଳ୍ପ ନେଲେ । ଏହି ନିଷ୍ପତ୍ତିର ଅଂଶ ସ୍ୱରୂପ ଆଜି ତାଳଚେର ସାର କାରଖାନାର ପୁନରୁଦ୍ଧାର ଲାଗି ଆଧାରଶିଳା ରଖାଯାଇଛି । ଏହାକୁ ୩୬ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ ଏବଂ ସେ ନିଜେ ଏଠାକୁ ପୁଣି ଆସିବେ ଏବଂ ନବନିର୍ମିତ ସାର କାରଖାନାକୁ ରାଷ୍ଟ୍ରକୁ ସମର୍ପିତ କରିବେ । ଏହି ପ୍ରସ୍ତାବିତ ସାର କାରଖାନାରେ ପ୍ରାୟ ୪ ହଜାର ଲୋକ କାର୍ୟ୍ୟ କରିବେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ଦେଶର ଚାଷୀ ଏହି ସାର କାରଖାନା ଦ୍ୱାରା ଉପକୃତ ହେବେ । ଏବେ ବିଦେଶରୁ ୟୁରିଆ ଆମଦାନୀ ହେଉଛି । ଏଥିଲାଗି ଦେଶକୁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି । ତାଳଚେର ସାର କାରଖାନା ଦ୍ୱାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ । ଏଥିସହିତ ବିଦେଶରୁ ୟୁରିଆ ଆମଦାନୀ ମଧ୍ୟ କମିବ । ଅନେକ ଲୋକଙ୍କୁ ସାର କାରଖାନାରେ ନିଯୁକ୍ତି ସୁବିଧା ମିଳିବ । ଏହି ସଂକଳ୍ପ ନେଇ ଗ୍ୟାସ ଆଧାରିତ ସାର କାରଖାନାର ନିର୍ମାଣ କାର୍ୟ୍ୟକୁ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି ।
ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ଜନସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ତାଳଚେର ମାଟିକୁ ବୀରଭୂମି ଭାବେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ତାଳଚେର ସାର କାରଖାନା ନୂଆ ଓଡ଼ିଶା ନିର୍ମାଣର ନୂଆ ଜୀବନଗାଥା ହେବ । ଏହି ମାଟିରେ ପବିତ୍ର ମୋହନ ପ୍ରଧାନ, ସାରଙ୍ଗଧର ଦାସ, ବୈଷ୍ଣବ ପଟ୍ଟନାୟକ, ବାଜି ରାଉତ, ରାଜା ସୋମନାଥ ସିଂହଙ୍କ ଭଳି ବୀର ପୁତ୍ରମାନେ ଜନ୍ମ ନେଇ ସମାଜ ସଂସ୍କାର ଦିଗରେ କାର୍ୟ୍ୟ କରିବା ସହ ଇଂରେଜମାନଙ୍କ ବିରୁଦ୍ଧରେ ଲଢେଇ କରିଥିଲେ । ଏଣୁ ତାଳଚେର ସବୁବେଳେ ରାଷ୍ଟ୍ର ନିର୍ମାଣର ଅଂଶ ହୋଇରହିଛି । ଏବେ ପ୍ରସ୍ତାବିତ ସାର କାରଖାନା ପୂର୍ବ ଭାରତର ବିକାଶକୁ ନୂତନ ଦିଗଦର୍ଶନ ଦେବ । ରୁଗ୍ଣ ସାର କାରଖାନା ବିଗତ ସରକାରର ବିଫଳତା ଥିବାବେଳେ ଏହି କାରଖାନାର ପୁନରୁଦ୍ଧାର ଏନଡିଏ ସରକାର ପାଇଁ ସଫଳତାର ପ୍ରତୀକ ହେବ । ପୂର୍ବ ସରକାର ବେଳେ ଅନେକ କାରଖାନା ବନ୍ଦହୋଇ ପଡିରହିଥିଲା । ତେବେ କୃଷକମାନଙ୍କୁ ସଶକ୍ତ କରିବା ଏବଂ ଦେଶରେ ରସାୟନିକ ସାରକୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯାଉଛି । ଏହି କାରଖାନାଗୁଡିକ ହେଲା- ଉତ୍ତରପ୍ରଦେଶର ଗୋରଖପୁର, ଝାଡଖଣ୍ଡର ସିନ୍ଦ୍ରି, ତେଲଙ୍ଗାନାର ରାମଗୁଣ୍ଡମ୍ ଏବଂ ବିହାରର ବରୌଣୀ ସାର କାରଖାନା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ସମ୍ବଳ ଥିଲା, ସଂଶାଧନ ଥିଲା, ଏବଂ ଟେକ୍ନୋଲୋଜି ମଧ୍ୟ ରହିଥିଲା, କିନ୍ତୁ ପୂର୍ବ ସରକାରର ସଂକଳ୍ପ କି ପ୍ରତିବଦ୍ଧତା ନଥିଲା, ଏଣୁ ସେମାନେ ଅସଫଳ ରହିଥିଲେ ।
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସମ୍ୟକ ସୂଚନା ଦେଇ କହିଥିଲେ ଯେ ଏହି ଯୋଜନା ଗରିବ ଲୋକଙ୍କୁ ଆର୍ଥିକ ସ୍ୱାକ୍ଷର କରିବା ସହ ବ୍ୟାଙ୍କ ସେବା ନେଟୱାର୍କ ମଧ୍ୟକୁ ଆଣିପାରିଛି । ଜନ ଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି । ପୂର୍ବରୁ ଜଣେ ପ୍ରଧାନମନ୍ତ୍ରୀ କିଭଳି କେନ୍ଦ୍ର ସରକାରଙ୍କ ଅର୍ଥ ବାଟମାରଣା ହେଉଛି କହିଥିଲେ । କେନ୍ଦ୍ରରୁ ଆସୁଥିବା ଅର୍ଥ ୮୫ ପ୍ରତିଶତ ବାଟମାରଣା ହେଉଥିବା ବେଳେ ମାତ୍ର ୧୫ ଭାଗ ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ । ଏବେ ଏନଡିଏ ସରକାର ଏହି ବାଟମାରଣାକୁ ଜନ ଧନ ଯୋଜନା ଏବଂ ଆଧାର ସଂଯୋଗୀକରଣ ତଥା ଡିବିଟି ମାଧ୍ୟମରେ ସଂପୂର୍ଣ୍ଣ ରୂପେ ରୋକିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାର ସବୁ ଯୋଜନାର ସବସିଡି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଉଛି । ବାଟମାରଣା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଏପରିକି ୟୁରିଆ ସାରରେ ନିମ ପ୍ରଲେପ ଦ୍ୱାରା ଏହାର ବାଟମାରଣା ବନ୍ଦ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଓଡ଼ିଶାରେ ସ୍ୱଚ୍ଛତା ଅଭିଯାନର ଶିଥିଳ ଗତି ନେଇ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ୨୦୧୪ରେ ଓଡ଼ିଶାରେ ସ୍ୱଚ୍ଛତା ହାର ୧୦ ପ୍ରତିଶତ ଥିଲା । ତାଙ୍କ ସରକାର ଆସିବା ପରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ବ୍ୟାପକ ମାତ୍ରାରେ ଚାଲିଲା ଏବଂ ରାଜ୍ୟରେ ଏହି ହାର ୫୫ ପ୍ରତିଶତରେ ପହଞ୍ଚିଛି । ତଥାପି ଓଡ଼ିଶାକୁ ଅନେକ କିଛି କରିବାର ଅଛି । ଓଡ଼ିଶାଠାରୁ ଅନେକ ଗରିବ ରାଜ୍ୟ ସ୍ୱଚ୍ଛତା କ୍ଷେତ୍ରରେ ଆଗରେ ରହିଛନ୍ତି । ଅନ୍ୟ ପକ୍ଷରେ ଓଡ଼ିଶାର ଅନେକ ସ୍ଥାନରେ ଏବେ ମଧ୍ୟ ଖୋଲାରେ ଶୌଚ ହେଉଛି । ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଉତ୍ତମ ସ୍ୱଚ୍ଛତା ଓ ସଂପୂର୍ଣ୍ଣ ସ୍ୱଚ୍ଛତା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା କାଲି ରାଞ୍ଚିରୁ ସେ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦେଶବ୍ୟାପୀ ଆରମ୍ଭ କରିବେ । ଏହାଦ୍ୱାରା ୧୦ କୋଟି ଗରିବ ପରିବାର ଅର୍ଥାତ ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ । ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ଲାଗି ବୀମା ସୁବିଧା ମିଳିବ । ଗରିବ ଲୋକମାନେ ଆଧୁନିକ ଚିକିତ୍ସା ସୁବିଧା ପାଇବେ । ପୂର୍ବରୁ ଚିକିତ୍ସା ଲାଗି ବିଭିନ୍ନ ସ୍ଥାନରେ ଦୁଃଖ କଷ୍ଟ ଭୋଗୁଥିବା ଏବଂ ଶୋଷିତ ହେଉଥିବା ପରିବାରଗୁଡିକ ଏବେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଦେଶର ବଡ ବଡ ଅଧିକୃତ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇବେ । ୨୭ଟି ରାଜ୍ୟ ଏଥିରେ ସାମିଲ ହୋଇଛନ୍ତି, କିନ୍ତୁ ଓଡ଼ିଶା ଏଥିରେ ସାମିଲ ନ ହେବା ଦୁର୍ଭାଗ୍ୟର ବିଷୟ । ଓଡ଼ିଶାର ଲକ୍ଷ୍ୟ ଲକ୍ଷ୍ୟ ଗରିବ ପରିବାରଙ୍କ କଲ୍ୟାଣ ପାଇଁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାତୃ ଓ ଶିଶୁ ମୃତ୍ୟୁହାର ରାଜ୍ୟରେ ଅଧିକ ରହିଛି । ଏହାକୁ ମଧ୍ୟ କମାଇବାକୁ ପଡିବ । ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଏବଂ ଆଧୁନିକ ଚିକିତ୍ସା ସେବାକୁ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ୫ ଟି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ ହସ୍ପିଟାଲରେ ପରିଣତ କରାଯାଇଛି । ଏଗୁଡିକ ହେଲା – ବାଲେଶ୍ୱର, ବାରିପଦା, କୋରାପୁଟ, ବଲାଙ୍ଗୀର ଏବଂ ପୁରୀ । ତାଳଚେର ଓ ସୁନ୍ଦରଗଡରେ ଆଉ ଦୁଇଟି ମେଡିକାଲ କଲେଜ ହସ୍ପିଟାଲର ନିର୍ମାଣ କାର୍ୟ୍ୟ ଚାଲିଛି । ୩୬୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ କଟକ, ବୁର୍ଲା ଏବଂ ବ୍ରହ୍ମପୁର ମେଡିକାଲ କଲେଜର ଆଧୁନିକୀକରଣ କାର୍ୟ୍ୟ ଚାଲିଛି । ୫୭୦ କୋଟି ଟଙ୍କା ବିନିଯୋଗରେ ରାଉରକେଲା ମେଡିକାଲ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲର ଆଧୁନିକୀକରଣ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଥିଲେ ଯେ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବାବେଳେ ଓଡ଼ିଶାରେ ଏଲପିଜି ଗ୍ୟାସ ସଂଯୋଗ ହାର ମାତ୍ର ୨୨ ପ୍ରତିଶତ ଥିଲା । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କାର୍ୟ୍ୟକାରୀ ହେବାପରେ ରାଜ୍ୟରେ ଏଲପିଜି ବ୍ୟବହାରକାରୀଙ୍କ ହାର ୬୦ ରୁ ୬୫ ପ୍ରତିଶତ ପର୍ୟ୍ୟନ୍ତ ପହଞ୍ଚିଛି । ରାଜ୍ୟର ୫୦ ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସାମିଲ କରାଯାଇଛି । ୨୦୨୨ ସୁଦ୍ଧା ଦେଶରେ କେହି ହେଲେ ବାସହୀନ ରହିବେ ନାହିଁ । ଏହି ଲକ୍ଷ୍ୟ ନେଇ ଏନଡିଏ ସରକାର କାର୍ୟ୍ୟ କରୁଛି । ଓଡ଼ିଶାରେ ଗତ ଚାରି ବର୍ଷ ମଧ୍ୟରେ ୧୦ ଲକ୍ଷ ଗୃହ ନିର୍ମାଣ ପାଇଁ କେନ୍ଦ୍ରୀୟ ମଞ୍ଜୁରି ଦିଆଯାଇଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ ଆବାସ ଯୋଜନାରେ ଗୃହ ନିର୍ମାଣ ହାର ୪୦ ପ୍ରତିଶତରେ ପହଞ୍ଚିଛି ।
ଓଡ଼ିଶାରେ ଟଙ୍କିକିଆ ଚାଉଳ ଯୋଜନାର ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ମାସରେ ରାଜ୍ୟର ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବାଲାଗି କେନ୍ଦ୍ର ସରକାର ମାସିକ ୪୫୦ କୋଟି ଟଙ୍କା ସହାୟତା ଦେଉଛନ୍ତି । ପ୍ରତି କିଲୋ ଚାଉଳ ପିଛା କେନ୍ଦ୍ର ସରକାର ୨୫ ରୁ ୩୦ ଟଙ୍କା ପର୍ୟ୍ୟନ୍ତ ସବସିଡି ଦେଉଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁସଂଗତ କରାଯାଇ ଖାଦ୍ୟ ସାମଗ୍ରୀର ବାଟମାରଣା କରାଯାଇଛି । ଏଣୁ ଗରିବ ଲୋକଙ୍କୁ ଏକ ଟଙ୍କାରେ ଚାଉଳ ଯୋଗାଇବାର ଅଧିକ ଶ୍ରେୟ କେନ୍ଦ୍ର ସରକାରଙ୍କର ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଓବିସି କମିଶନ ଗଠନ କରି ଏହାକୁ ସାମ୍ବିଧାନିକ ମର୍ୟ୍ୟାଦା ଦେବାର ଐତିହାସିକ ପଦକ୍ଷେପ ନେଇଛନ୍ତି । ତିନି ତଲାକ ଭଳି ପ୍ରଥା ଦ୍ୱାରା ମୁସଲିମ ସମାଜର ଭଉଣୀମାନଙ୍କ ଜୀବନ ଦୁର୍ବିସହ ହେଉଥିଲା । ଏନଡିଏ ସରକାର ପ୍ରଥମେ ଲୋକସଭାରେ ଏହାକୁ ପାସ କରାଇଥିଲେ । କିନ୍ତୁ ରାଜ୍ୟସଭାରେ ଗୃହୀତ ନ କରାଇବା ପାଇଁ ଉଦ୍ୟମ ହେଉଛି । ତଥାପି ତାଙ୍କ ସରକାର ନିଷ୍ଠାର ସହ ଏ ଦିଗରେ ଆଗକୁ ବଢି ତିନି ଦିନ ତଳେ ତିନି ତଲାକ ସଂପର୍କୀତ ଅଧ୍ୟାଦେଶ ଜାରି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।