ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ଷ୍ଟାଡିଂ ଓଭେସନ୍
ଭୁବନେଶ୍ୱର . – ଚନ୍ଦ୍ରଯାନ-୨ର ସଫଳତା ପାଇଁ ଓଡିଶା ବିଧାନସଭାରେ ବିଧାୟକମାନେ ଏହା ସହ ଜଡିତ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସରକାରୀ ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି । ଏହା ଭାରତ ପାଇଁ ବଡ ସଫଳତା । ତେଣୁ ଏହି ସଫଳତା ପାଇଁ ଏହି ମିଶନ ସହ ଜଡିତ ବୈଜ୍ଞାନିକମାନଙ୍କୁ ବିଧାନସଭାରେ ଅଭିନନ୍ଦନ ଜଣାଇବା ପାଇଁ ସେ ବାଚସ୍ପତିକୁ ଅନୁରୋଧ କରିଥିଲେ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିବା ପରେ ସମସ୍ତ ବିଧାୟକ ମାନେ ନିଜ ନିଜ ସ୍ଥାନରେ ଏକ ମିନିଟ୍ ପାଇଁ ଠିଆ ହୋଇ କରତାଳି ଦେଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।