ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ପାଇବେ ଏମିତି
-ରାତିରେ ଶୋଇବା ସମୟରେ ଅନେକ ଲୋକ ଘୁଙ୍ଗୁଡି ମାରିଥାଆନ୍ତି । ଏହା ଏକ ସାଧାରଣ ସମସ୍ୟା । ତେବେ କେତକ କାରଣ ଯୋଗୁଁ ଲୋକ ଘୁଙ୍ଗୁଡି ମାରି ଥାଆନ୍ତି । ସାଦାରଣତଃ ଶ୍ୱାସ ନଳୀରେ ବକ୍ରତା ଯୋଗୁଁ ଏହା ହୋଇଥା ଏ। ତେବେ ଏହି ଶ୍ୱାସ ନଳୀର ପ୍ରତିବନ୍ଧକକୁ ଅଣଦେଖା କରିବା ଉଚିତ୍ ନୁହେଁ । ଶୋଇବା ସମୟରେ ଆମର ଶ୍ୱାସନଳୀ ଏବଂ ଗଳାର ଅନ୍ୟାନ୍ୟ ମାଂସପେଶୀ ଭିତର ଆଡ଼କୁ ମୋଡ଼ି ହେଇ ରହେ। ଏହାଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସ ନେବା ବେଳେ ଭିତରକୁ ଯା’ଆସ କରୁଥିବା ବାୟୁର ପଥରେ ବାଧା ସୃଷ୍ଟି ହୋଇଥାଏ। ଭିତରକୁ ମୋଡ଼ି ହେଇ ରହିଥିବା ଶ୍ୱାସନଳୀରେ ଏହା ସିଧାସଳଖ ଯା’ଆସ କରିପାରେ ନାହିଁ। ଏହି ସମୟରେ ଏପରି ଏକ ଶବ୍ଦ ସୃଷ୍ଟି ହୁଏ ଯାହାକୁ ଆମେ ଘୁଙ୍ଗୁଡ଼ି ବୋଲି କହୁ।
ଧୂମପାନ, ନିଦ ବଟିକା ସେବନ, ଗଳାରେ କୌଣସି ସମସ୍ୟା ଏବଂ ଭିତରର ଆଉ କେତେକ ସମସ୍ୟା ପାଇଁ ଘୁଙ୍ଗୁଡ଼ି ଆସିଥାଏ। ଏହାର ଭିନ୍ନ ଭିନ୍ନ ସମାଧାନ ପନ୍ଥା ରହିଛି। ଏ ସମ୍ପର୍କରେ ଡାକ୍ତର କେ.କେ. ଅଗ୍ରଓ୍ଵାଲ୍ କହନ୍ତି ‘‘ଅପ୍ନିଆ କିମ୍ବା ହାଇପୋପେନିଆ କାରଣରୁ ଶ୍ୱାସକ୍ରିୟାରେ ବ୍ୟାଘାତ ସୃଷ୍ଟି ହୁଏ। ନାସାରନ୍ଧ୍ର ଦେଇ ପବନ କମ୍ ଯା’ଆସ କରେ। ଏହାଦ୍ୱାରା ଅକ୍ସିଜେନ୍ କମ୍ ହେଇଯାଏ ଏବଂ କାର୍ବନ ଡାଇଅକ୍ସାଇଡ୍ ବୃଦ୍ଧି ପାଇଥାଏ। ଓଏସ୍ଏ ପରି ସମସ୍ୟା ଦିନରେ ଶୋଇବା କାରଣରୁ ମଧ୍ୟ ହୋଇଥାଏ।’’
ଅଧିକ ଧୂମପାନ କରନ୍ତୁ ନାହିଁ। ଏହା କ୍ୟାନ୍ସରର କାରଣ ହେବା ସହିତ ସ୍ଲିପିଂ ଡିଜ୍ଅର୍ଡର୍ ବା ସ୍ଲିପ୍ ଅପ୍ନିଆର କାରଣ ହୋଇଥାଏ। ଧୂମପାନ ଦ୍ୱାରା ଧୂଆଁ ସିଧା ଆମର ଫୁସ୍ଫୁସ୍କୁ ଯାଏ। ଏହାଦ୍ୱାରା ଫୁସ୍ଫୁସ୍ ଦୁର୍ବଳ ହେଇଯାଏ। ତାକୁ ଯଥେଷ୍ଟ ଅମ୍ଲଜାନ ମିଳେନାହିଁ। ଏହାଦ୍ୱାରା ଶ୍ୱାସଜନିତ ସମସ୍ୟା ବଢ଼େ ଏବଂ ନିଃଶ୍ୱାସ ନେବା ବେଳେ ଏଭଳି ଶବ୍ଦ ବାହାରେ।
-ଯଥେଷ୍ଟ ପାଣି ପିଅନ୍ତୁ। ଏହା ଶରୀରରୁ ଶୁଷ୍କତା ଦୂର କରେ। ଶରୀରରେ ଜଳୀୟ ଅଂଶ କମିଗଲେ ଆମର ଶ୍ୱାସନଳୀ ଶୁଷ୍କ ହୋଇଯାଏ। ତେଣୁ ଶ୍ୱାସକ୍ରିୟା ବେଳେ ଘୁଙ୍ଗୁଡ଼ିର ଶବ୍ଦ ବାହାରେ। ଏଥିପାଇଁ ପ୍ରତିଦିନ ଆଠ ଗ୍ଲାସ୍ ପାଣି ପିଇବା ଦରକାର।
-ଶୋଇବା ସମୟରେ ମୁଣ୍ଡକୁ ଅଳ୍ପ ଉଠାଇ ରଖିବା ପରି ଭଲ ତକିଆ ବ୍ୟବହାର କରନ୍ତୁ। ମନକୁ ଶାନ୍ତ ରଖନ୍ତୁ। ଶୋଇବାକୁ ଯିବା ପୂର୍ବରୁ ନାକରେ ଦୁଇବୁନ୍ଦା ସୋରିଷ ତେଲ ମଧ୍ୟ ପକାଇ ପାରନ୍ତି।
-ଘୁଙ୍ଗୁଡ଼ି ରୋକିବା ପାଇଁ ଗୋଟେ ଗ୍ଲାସ୍ ଉଷୁମ ପାଣିରେ ତିନି ଚାମଚ ଡାଳଚିନି ଗୁଣ୍ଡ ମିଶାଇ ପିଇବା ଦରକାର।
-ରାତିରେ ଶୋଇବାକୁ ଯିବା ପୂର୍ବରୁ ଅତିକମ୍ରେ ଗୋଟେ କପ୍ କ୍ଷୀର ପିଇବା ଦ୍ୱାରା ଏହାକୁ ରୋକାଯାଇ ପାରିବ।
-ସାଇନସ୍ ସମସ୍ୟା ଥିଲେ ମଧ୍ୟ ଘୁଙ୍ଗୁଡ଼ି ଆସେ। ଘୁଙ୍ଗୁଡ଼ି ହୃଦ୍ରୋଗ ସହ ମଧ୍ୟ ସମ୍ବନ୍ଧିତ। ତେଣୁ ହୃଦ୍ରୋଗ କି ସାଇନସ୍ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।
-ମୁହଁ ଉପରକୁ କରି ଶୁଅନ୍ତୁ ନାହିଁ। ପେଟ ମାଡ଼ି ଶୁଅନ୍ତୁ କିମ୍ବା କଡ଼ ମାଡ଼ି ଶୁଅନ୍ତୁ। ଏଭଳି ଶୋଇବା ଦ୍ୱାରା ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୁଏ ନାହିଁ। ଘୁଙ୍ଗୁଡ଼ି ବାହାରେ ନାହିଁ କି ନିଦ ବାମ୍ବାର ଭାଙ୍ଗେ ନାହିଁ। ଘୁଙ୍ଗୁଡ଼ିଜନିତ ବିପଦ ମଧ୍ୟ ଟଳି ଯାଇଥାଏ।
-ଅତ୍ୟଧିକ ଓଜନ ବୃଦ୍ଧି ମଧ୍ୟ ଘୁଙ୍ଗୁଡ଼ିର କାରଣ ହୋଇଥାଏ। ଏ କ୍ଷେତ୍ରରେ ଯୋଗ, ବ୍ୟାୟାମ ଆଦି ଦ୍ୱାରା ପ୍ରଥମେ ନିଜର ଓଜନ କମାନ୍ତୁ।
-ସକାଳୁ ଉଠି ଅନୁଲୋମ ବିଲୋମ ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର ହୋଇଥାଏ। ଫୁସ୍ଫୁସ୍ର କ୍ଷମତା ବୃଦ୍ଧି ପାଇଥାଏ ଏବଂ ଏହା ପୂର୍ବ ଅପେକ୍ଷା ଅଧିକ କୁଶଳତାର ସହ କାର୍ଯ୍ୟ କରିଥାଏ।