ଘଟଣା : ୨୦୦୭ ମଇ ୧୮ରେ ହାଇଦ୍ରାବାଦର ମକ୍କା ମସଜିଦରେ ହୋଇଥିବା ବୋମା ବିସ୍ଫୋରଣରେ ଏହି ଘଟଣାରେ ମୋଟ ୯ ଜଣ ମୃତ୍ୟୁବରଣ କରିଥିଲେ ଓ ୫୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାର ପ୍ରାରମ୍ଭିକ ତଦନ୍ତୁର ଜଣାପଡିଥିଲା ଯେ ଏଥିରେ ପାକିସ୍ଥାନ ଓ ବାଂଲାଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହୁଜିର ହାତ ଥିବା ସୁରାକ ମିଳିଥିଲା। ହାଇଦ୍ରାବାଦ ପୁଲିସ ମଧ୍ୟ ଏହି ଘଟଣାରେ ପ୍ରାୟ ୨୧ ଜଣ ଇସଲାମୀୟ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । କିନ୍ତୁ ଏହାର କିଛି ମାସପରେ ଏହି ସମୁଦାୟ ଘଟଣା ହିଁ ବଦଳିଗଲା । ତତକାଳୀନ କେନ୍ଦ୍ର ସରକାର ଏହି ଘଟଣା ପଛରେ ସ୍ୱାମୀ ଅସୀମାନନ୍ଦ ଓ ସହଯୋଗୀଙ୍କ ହାତ ଥିବା ଘୋଷଣା କରିବା ସହ ସେମାନଙ୍କୁ ଗିରଫ କଲେ । ସେହିପରି ୨୦୦୮,ସେପ୍ଟେମ୍ବରରେ ମହାରାଷ୍ଟ୍ରର ମାଲେଗାଁଓ ବୋମା ବିସ୍ଫୋରଣ ମାମଲାରେ ମଧ୍ୟ ହିନ୍ଦୁ ଆତଙ୍କବାଦ କଥା ଉଠିଲା । ଏଥିରେ ସେନାର ଜଣେ କର୍ତ୍ତବ୍ୟରତ ଅଧିକାରୀ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ ଓ ଆରଏସଏସ ସହ ଜଡିତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଗିରଫ କରାଗଲା ।
ହିନ୍ଦୁ ଆତଙ୍କବାଦ ଏକ ଷଡ଼ଯନ୍ତ୍ର ?
ବିଗତ କିଛି ଦିନରେ ଆସିଥିବା କୋର୍ଟ ରାୟକୁ ତର୍ଜମା କଲେ ଜଣାଯାଏ ଯେ ଏସବୁ ଘଟଣାରେ ହିନ୍ଦୁ ଆତଙ୍କବାଦୀଙ୍କ ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ନାହିଁ । ଗତ ଏପ୍ରିଲ ୧୮ ତାରିଖରେ ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ମକ୍କା ମସଜିଦ ବିସ୍ଫୋରଣ ଘଟଣାରେ ସଂପୃକ୍ତ ସ୍ୱାମୀ ଅସିମାନନ୍ଦଙ୍କ ସମେତ ସବୁ ଆରୋପୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ଏହାପୂର୍ବରୁ ଗତ ୨୦୧୭ ଅଗଷ୍ଟ ମାସରେ କର୍ଣ୍ଣେଲ ପୁରୋହିତଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବା ପରେ ସେନା ପକ୍ଷରୁ ତାଙ୍କୁ ପୁଣି ସସମ୍ମାନେ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ନିକଟରେ ରିପବ୍ଲିକ ଟିଭି ପକ୍ଷରୁ ପ୍ରସାରିତ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଜଣେ କର୍ତ୍ତବ୍ୟନିଷ୍ଠ ସେନା ଅଧିକାରୀଙ୍କୁ କଂଗ୍ରେସ ହିଁ ଫସାଇଥିଲା । ତାଙ୍କ ଘରେ ଜାଣିଶୁଣି ଆରଡିଏକ୍ସ ରଖାଯାଇଥିଲା ।
ଏସବୁ ଘଟଣାକୁ ଅନୁଶୀଳନ କଲେ ଜଣାଯାଏ ଯେ ହିନ୍ଦୁ ଆତଙ୍କବାଦ ବୋଧହୁଏ କଂଗ୍ରେସର ଏକ କଳ୍ପିତ ଶବ୍ଦ ଥିଲା । ବର୍ଷ ବର୍ଷ ଧରି ସଂଖ୍ୟାଲଘୁ ତୁଷ୍ଟୀକରଣ ଆଳରେ ସଂଖ୍ୟାଗରିଷ୍ଠ ହିନ୍ଦୁ ମାନଙ୍କୁ ଅଣଦେଖା କରିଆସିଥିଲା କଂଗ୍ରେସ । ଧୀରେ ଧୀରେ ହିନ୍ଦୁମାନେ ଏକାଠି ହେଉଥିବାରୁ ତାହା କଂଗ୍ରେସ ଓ ବାମପ୍ୟୀମାନଙ୍କ ପାଇଁ ବେଶ ଚିନ୍ତାର କାରଣ ହୋଇଛି । ଏଥିପାଇଁ ହିନ୍ଦୁ ମାନଙ୍କ ମଧ୍ୟରେ ବିଭାଜନ କରିବାକୁ ଚାହୁଁଛି କଂଗ୍ରେସ । ଗୈରିକ ଆତଙ୍କବାଦ ଏହି ଷଡ଼ଯନ୍ତ୍ରର ଏକ ଅଂଶବିଶେଷ । ଏହା କରିବାର ଅର୍ଥ ହେଉଛି ହିନ୍ଦୁମାନେ ବି ଆତଙ୍କବାଦୀ ହୋଇପାରିବେ ।