ଭୁବନେଶ୍ୱର – ଅଗଷ୍ଟ ଦୁଇ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଲଗାତାର ଭାବେ ୫ଦିନ ବର୍ଷା ହେବା ପରେ ଏବେ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ କମିଛି ଏବଂ କିଛିସ୍ଥାନରେ ଦୁଇଦିନ ହେବ
ଆଦୌ ବର୍ଷା ହୋଇନାହିଁ । ତେବେ ଆସନ୍ତା ୪ ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଲଘୁଚାପ ପ୍ରଭାବରେ ୨ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ
ଏବଂ ୪ ଦିନ ଧରି ସାରାରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୩ ଓ ୪ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଂଜ୍ ଆଲର୍ଟ ଜାରି କରିଛି ।
ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ । ମୟୂରଭଞ୍ଜ, ବରଗଡ଼କୋରାପୁଟ, କଳାହାଣ୍ଡି, ମାଲକାନଗିରି, ଗଜପତି, ଗଞ୍ଜାମ ଓ ସୁନ୍ଦରଗଡ଼ର କେତେକ ସ୍ଥାନରେ ୨ ତାରିଖଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ।
ଏକ ତାରିଖରେ କେନ୍ଦ୍ରୀୟ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏ ବିଷୟରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ କହିଛନ୍ତି ।