ଯୋଡ଼ା ଯୁବବର୍ଗଙ୍କ ଦକ୍ଷତାର ବିକାଶ କରୁଛି ଟିଏସ୍ଏଫ୍ ର ‘ବାହ୍ୟ ନେତୃତ୍ୱ ଶିବିର’

118

ଯୋଡ଼ା, ଡିସେମ୍ବର ୨୭, ୨୦୨୨: ଗ୍ରାମୀଣ ଯୁବବର୍ଗମାନଙ୍କ ମଧ୍ୟରେ ନେତୃତ୍ୱ ଓ ଦଳଗତ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଯୋଡ଼ା ଓ ଏହା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଯୁବବର୍ଗଙ୍କ ନିମନ୍ତେ ଜାମସେଦପୁରଠାରେ ଏକ ବାହ୍ୟ ନେତୃତ୍ୱ ଶିବିର ଆୟୋଜିତ ହୋଇଯାଇଛି । କୁଡ଼ାପୋଶି, ବେଣୁଆପାଣି, ଯୋଡ଼ା, ଖୁଣ୍ଟପାଣି, ଜଜାଙ୍ଗ, କମଳପୁର, କୁନ୍ଦୁରପାଣି, ବାମେବାରୀ, କୋଇଲା ହଟିଂ, ସହିଦ ନଗର, ବିଛାକୁଣ୍ଡି, ହୁଡ଼ିସାହୀ ଏବଂ କ୍ୟାମ୍ପ ହଟିଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ୨୪ ଜଣ ବାଳିକା ଓ ୨୫ ଜଣ ବାଳକଙ୍କୁ ମିଶାଇ ମୋଟ ୪୯ ଜଣ ଯୁବବର୍ଗ ଏହି ୩ ଦିନିଆ ଶିବିରରେ ଅଂଶଗ୍ରହଣ କରିଥିଲେ ।

ଏହି ଶିବିରରେ ପ୍ରତିଯୋଗୀମାନଙ୍କୁ ନିଜ ନେତୃତ୍ୱ ଓ ଦଳଗତ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପାହାଡ଼ ଆରୋହଣ, ଅବରୋଧ ଦୌଡ଼ ପ୍ରତିଯୋଗିତା, ଫ୍ଲାଇଂ ଫକ୍ସ, ରାପଲିଂ, ପଏଣ୍ଟ-ଟୁ-ପଏଣ୍ଟ ନେଭିଗେସନ୍, କେଭିଂ ଏବଂ ଟ୍ରେକିଂ ଭଳି ବିଭିନ୍ନ ଟାସ୍କ ଦିଆଯାଇଥିଲା । ଏହାସହିତ ସେମାନଙ୍କୁ ଏକ ଭଲ ବ୍ୟକ୍ତି ଭାବେ ଗଢି ତୋଳିବାରେ ସହଯୋଗ କରିବା ପାଇଁ ପାରସ୍ପରିକ କୌଶଳ ବୃଦ୍ଧି କରିବାର ଉପାୟ ବିଷୟରେ ଶିକ୍ଷା ପ୍ରଦାନ କରାଯାଇଥିଲା । ବିଶେଷଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଅଧିବେସନର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

ନିଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍ଆଇଏନ୍ଏଲ୍) ର ଚିଫ୍ ଶ୍ରୀ ରାଜେଶ କୁମାରଙ୍କ ଦ୍ୱାରା ଏହି ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଟିଏସ୍ଏଫ୍ ଯୋଡା ୟୁନିଟ୍ ମୁଖ୍ୟ ରବିନ୍ଦ୍ର କୁମାର, ଟିଏସ୍ଏଫ୍ ଖଣ୍ଡବନ୍ଧର ୟୁନିଟ୍ ଲିଡ଼ ବିନୋଦ କୁମାର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଶିବିର ବିଷୟରେ ନିଜର ଅଭିଜ୍ଞତାକୁ ନେଇ ଜଜାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆ ଗ୍ରାମର ପ୍ରିୟଙ୍କା ନାୟକ କହିଛନ୍ତି ଯେ, ତାଙ୍କୁ ଏଭଳି ଉଚ୍ଚମାନର ପ୍ରଶିକ୍ଷଣ ହାସଲ କରିବାର ସୁଯୋଗ ମିଳିବ ବୋଲି ସେ କେବହେଲେ ଭାବିନଥିଲେ । ବାଳିକାମାନେ ମଧ୍ୟ ବାଳକମାନଙ୍କ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିପାରିବେ ବୋଲି ସେ ଏଠାରେ ଶିକ୍ଷା ହାସଲ କରିଛନ୍ତି । କେବଳ ଆମ ନିକଟରେ ଇଛା ଶକ୍ତି ରହିବା ଆବଶ୍ୟକ । ତେବେ ଏଭଳି ସୁଯୋଗ ପ୍ରଦାନ କରିଥିବାରୁ ସେ ଟିଏସ୍ଏଫ୍ କୁ କୃତଜ୍ଞତା ଜଣାଇଛନ୍ତି ।

ଚମ୍ପା କୁଦର ଗ୍ରାମର ସଲମାନ ମୁଣ୍ଡା କହିଛନ୍ତି ଯେ, “ଏଭଳି ଶିକ୍ଷଣୀୟ ଶିବିରରେ ମୁଁ ପ୍ରଥମ ଥର ପାଇଁ ଭାଗ ନେଇଛି । ଦଳଗତ କାର୍ଯ୍ୟ ସଫଳତା ପ୍ରଦାନ କରିଥାଏ ବୋଲି ମୁଁ ଏଠାରେ ଜାଣିବାକୁ ପାଇଲି । ଆମ ଅଞ୍ଚଳର ସମସ୍ତ ଗଠନମୂଳକ କାର୍ଯ୍ୟ ନିମନ୍ତେ ଏକ ଭଲ ଦଳ ଗଠନ ପାଇଁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରିପାରିବି ବୋଲି ମୋର ଦୃଢ ବିଶ୍ୱାସ ରହିଛି ।

ନିଜ ପ୍ରତିବଦ୍ଧତାର ଅଂଶବିଶେଷ ଭାବେ ସମାଜରେ ଉଚ୍ଚମାନର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧକୁ ବିକଶିତ କରିବା ଏବଂ ଯୁବବର୍ଗଙ୍କୁ ନିଜର ଅନ୍ତର୍ନିହିତ ଗୁଣଗୁଡ଼ିକର ପରିପ୍ରକାଶ ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟିଏସ୍ଏଫ୍ ପକ୍ଷରୁ ଟାଟା ଷ୍ଟିଲର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ନିୟମିତ ବ୍ୟବଧାନରେ ଏଭଳି ଶିବିରମାନ ଆୟୋଜନ କରାଯାଉଛି।

Comments are closed, but trackbacks and pingbacks are open.