ସିଏଏରେ କେହି ନାଗରିକତା ହରାଇବେ ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
କୋଲକତା — ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ ଉପରେ କହିଛନ୍ତି ଏହି ଆଇନ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ କେହି ନିଜର ନାଗରିକତା ହରାଇବେ ନାହିଁ। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି ସକାଳେ ରାମକୃଷ୍ଣ ମଠ ଏବଂ ମିଶନର ମୁଖ୍ୟ କାର୍ଯ୍ୟାଳୟ ବେଲୁର୍ ମଠଠାରେ ଜନତାଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଏହି ଆଇନକୁ ନେଇ ବିଭ୍ରାନ୍ତି ଦୂର କରିବା ପାଇଁ ଯୁବସମାଜ ଆଗେଇ ଆସିବା ଉଚିତ। ସେ କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକମାନଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହି ଆଇନର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି।
ଇତିମଧ୍ୟରେ ନାଗରିକତା ପ୍ରଦାନ କରିବାର ପରିସର ବୃଦ୍ଧି ପାଇଥିବା ସେ ଦୋହରାଇଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଯୁବସମାଜକୁ ତାଙ୍କ ଅଦର୍ଶରେ ଅନୁପ୍ରାଣୀତ ହୋଇ ନୂଆଭାରତ ଗଠନ ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଛନ୍ତି। ଆମ ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ଶ୍ରୀ ମୋଦି ଆଜି ସକାଳେ ବେଲୁର ମଠସ୍ଥିତ ରାମକୃଷ୍ଣ ମନ୍ଦିରରରେ ପୂଜାର୍ଚ୍ଚନା କରିଛନ୍ତି।