ସୁବର୍ଣ୍ଣପୁରରେ ଫୁଟିବ ସୁନାର ପଦ୍ମ!, ଦିନକ ପରେ ଆସୁଛନ୍ତି ମୋଦୀ
ଭୁବନେଶ୍ୱର: ଆଗାମୀ ୫ ବର୍ଷ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ କରାଯିବ । କୃଷି ଭିତ୍ତିକ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ କ୍ଷେତକୁ ବର୍ତ୍ତମାନ ସ୍ଥିତିରେ ପାଣି ଅଭାବ ଥିବା ବେଳେ ୨୦୨୪ ପୂର୍ବରୁ ଏହି ସମସ୍ୟାର ସମାଧାନ ହୋଇପାରିବ । ମତ୍ସଜୀବୀ ଓ ବୟନଶିଳ୍ପକୁ ପ୍ରୋତ୍ସାହନ ମିଳିବ । ସେହିପରି ରେଳ-ସଡ଼କ ପଥ ଏବଂ ଅନ୍ୟାନ୍ୟ ବିକାଶ ମୂଳକ ଯୋଜନା ଏଠାରେ ଲାଗୁ କରିବା ଉଦ୍ଦେଶ୍ୟ ନେଇ ଏପ୍ରିଲ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋନପୁର ଆସୁଛନ୍ତି । ମୋଦୀଙ୍କ ଗସ୍ତ ନେଇ ଜିଲ୍ଲାବାସୀ ସୁନାର ପଦ୍ମ ଦେଖିବାକୁ ଆଶା ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ସୋନପୁରରେ ମଧ୍ୟାହ୍ଣ ୧୨ଟା ପରେ ପହଂଚିବା ପରେ ରାମେଶ୍ୱର ପଡ଼ିଆ ନିକଟସ୍ଥ ଷ୍ଟାଡିୟମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେବେ । ଗସ୍ତ ପାଇଁ ବିଜେପି ପକ୍ଷରୁ ସମାବେଶ ସ୍ଥଳର କାମକୁ ତୀବ୍ର କରି ଦିଆଯାଇଛି । ରୟାଲ ପଡିଆ, ଗାନ୍ଧୀ ପଡ଼ିଆ ଓ କୁଂଜ ଛକରେ ପାର୍କିଂ ବ୍ୟବସ୍ଥା କରାଯାଉଛି । ମୋଦୀଙ୍କ ସମାବେଶକୁ ସଫଳ ଦେବା ପାଇଁ ବିଜେପି ଲକ୍ଷାଧିକ କର୍ମୀ, ନେତା, ସମର୍ଥକ ଓ ପ୍ରଶଂସକଙ୍କୁ ଏକତ୍ର କରିବାରେ ଲାଗିଛି । ସୁବର୍ଣ୍ଣପୁର ୧୯୯୩ ଏପ୍ରିଲ ୧ରେ ବଲାଙ୍ଗୀର ଜିଲ୍ଲା ଠାରୁ ଅଲଗା ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ସେଥିପାଇଁ ବିଜେପି କର୍ମୀମାନେ ଅଧିକ ଉତ୍ସାହିତ ଦେଖାଯାଉଛନ୍ତି । ମୋଦୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ସୋନପୁର ଆସୁଛନ୍ତି । ପୂର୍ବରୁ ୧୯୯୧ ମେ’ ମାସ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଏଠାକୁ ଆସିଥିଲେ ।

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମୋଦୀ ସୋନପୁର ଗସ୍ତ କରୁଛନ୍ତି । ମୋଦୀଙ୍କ ଗସ୍ତ ନେଇ ସୋନପୁର, ଡୁଙ୍ଗୁରିପାଲି, ବିନିକା, ତରଭା, ଉଲୁଣ୍ଡା ଓ ବୀରମହାରାଜପୁର ଅଂଚଳ ମଧ୍ୟ ତତ୍ପର ହୋଇ ଉଠିଛି । ମୋଦୀଙ୍କ ସମାବେଶରେ ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରୁ ଲୋକେ ମଧ୍ୟ ସାମିଲ ହେବେ । ହାୱାକୁ ଦେଖି କଂଗ୍ରେସ ଓ ବିଜୁ ଜନତା ଦଳର ନେତାମାନେ ଛାନିଆ ହୋଇ ଗଲେଣି । କାରଣ ବର୍ତ୍ତମାନ ମୋଦୀଙ୍କ ହାୱା ଯାହା ଅଛି ଆଗାମୀ ନିର୍ବାଚନରେ ସୋନପୁର ଓ ବୀରମହାରାଜପୁର ଆସନରେ ମତଦାତା ବିଜେପି ସପକ୍ଷରେ ମତଦାନ କରିବାକୁ ଇଛା ରଖୁଛନ୍ତି । ଅନେକଙ୍କ ମତରେ ବିକାଶ ନେଇ ମୋଦୀଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚରେ । ଯଦି ସଂଖ୍ୟା ଗଣାଯିବ ତା’ହେଲେ ବିଗତ ଦିନରେ ହୋଇଥିବା ପଂଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ସୋନପୁର ଜିଲ୍ଲାରେ ବିପୁଳ ଭୋଟ ମିଳିଛି । ଏହି ଧାରା ଯଦି ଜାରି ରହେ, ତା’ହେଲେ ବିରୋଧୀ ଦଳଙ୍କ ପାଇଁ ସ୍ଥିତି ଆହୁରି ଭୟଙ୍କର ହେଇଯିବ ।
ରାଜ୍ୟ ସରକାର ଯଦିଓ ବିକାଶାର ବାନା ଉଡାଉଛନ୍ତି, ତଥାପି ବିଗତ ୧୯ ବର୍ଷ ଶାସନ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ କ’ଣ କରିଛନ୍ତି । ମୋଦୀ ପ୍ରଧାନମନ୍ତ୍ରୀ ହେବାର ୫ ବର୍ଷ ମଧ୍ୟରେ ସୋନପୁର ଥରଟିଏ ହେଲେ ବି ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଶାସନ କାଳରେ କେତେ ଥର ସୋନପୁର ଯାଇଛନ୍ତି? ଏମିତି ପ୍ରଶ୍ନର ସାଧାରଣ ଉତ୍ତର ହେଉଛି, ସୁବର୍ଣ୍ଣପୁରକୁ ଦେଖିବା ପାଇଁ ନବୀନଙ୍କ ପାଖରେ ସମୟ ନାହିଁ । ଆହୁରି ବି କୁହାଯାଇ ପାରିବ ଯେ, ମୋଦୀ ଯେହେତୁ ସୋନପୁର ଆସୁଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ସେ ଏଠାରେ କିଛି କରିବାକୁ ବଡ଼ ଲକ୍ଷ୍ୟ ରଖିଥାଇ ପାରନ୍ତି । ବଲାଙ୍ଗୀର ଲୋକସଭା ଆସନ ଅନ୍ତର୍ଗତ ସୋନପୁର ବିଧାୟକ ନିରଂଜନ ପୂଜାହାରୀ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଆଉ କେତେ ବର୍ଷ ଯାଏଁ ବିଧାୟକ ରହିଲେ ଏହି ଅଂଚଳର ବିକାଶ ହୋଇପାରିବ, ସେମାନେ କ’ଣ କହିପାରିବେ?