ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏସଡିଆରଏଫରୁ  କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତିରେ ଓଡିଶାକୁ ୬୪୧କୋଟି ୬୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି

0 1,456

 

ଚଳିତମାସ ପହିଲାରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏସଡିଆରଏଫରୁ ପ୍ରଥମ କିସ୍ତି କେନ୍ଦ୍ରୀୟ ଅଂଶ ଭାବେ ପ୍ରଦାନ କରାଯାଇଥିବା ଅର୍ଥରାଶିକୁ ବାତ୍ୟା ପ୍ରଭାବିତ ପାଇଁ ବ୍ୟବହାର କରାଯିବା ଉପରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି  । ଟୁଇଟ୍‍ କରି ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତିରେ ଓଡିଶାକୁ ୬୪୧କୋଟି ୬୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି  । ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ରିଲିଫ, ଉଦ୍ଧାର ଏବଂ ଆନୁଷଙ୍ଗିକ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଏହି ପାଣ୍ଠି ବିନିଯୋଗ କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାବାସୀଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଆର୍ଥିକ ସହାୟତା ଓଡ଼ ିଶା ସରକାରଙ୍କୁ ବାତ୍ୟାର ପରବର୍ତ୍ତୀ ସମୟରେ ଜୀବନ-ଜୀବିକାକୁ ପୁନରୁଦ୍ଧାର କରିବାରେ ନିରନ୍ତର ସହଯୋଗ କରିବ ବୋଲି ଶ୍ରୀ ପ୍ରଧାନ ଟୁଇଟ୍‍ କରି କହିଛନ୍ତି ।

ବାତ୍ୟା ୟାସ୍‍ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଣ୍ଡବ ରଚି ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଏବେ ଯେଉଁ ଯେଉଁ ଜିଲ୍ଲାଗୁଡ଼ିକରେ ଅଧିକ କ୍ଷୟକ୍ଷତି ହୋଇଛି ପ୍ରଶାସନ ପକ୍ଷରୁ ସେଗୁଡ଼ିକର ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ବାତ୍ୟା ପରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ କେତେକ ତଳିଆ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସେହିଭଳି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆନନ୍ଦପୁର ଓ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ତେଣୁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଶ୍ରୀ ଜେନା ଏହି ସୂଚନା ଦେଇଥିବାବେଳେ ପରିସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାପାଳ ପ୍ରସ୍ତୁତ ରହିଥିବା ସେ କହିଛନ୍ତି । ଏଥିସହ ଯେଉଁଠି ଆବଶ୍ୟକ ପଡୁଛି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ବୋଲି ଏସ୍‍ଆରସି କହିଛନ୍ତି । ସେହିଭଳି ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକର  କ୍ଷୟକ୍ଷତି ଆକଳନ କରି ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା ରିପୋର୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‍ଆରସି କହିଛନ୍ତି । ଅପର ପକ୍ଷରେ ରାଜ୍ୟରେ ବାତ୍ୟା-ୟାସ୍‍ ଯୋଗୁ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ମୋଟ ୩ଜଣଙ୍କର ମୃତ୍ୟୁ ଘଟିଛି ।

 

ଜଗତ୍‍ସିଂହପୁର ଜିଲ୍ଲାରେ ବାତ୍ୟା ୟସ୍‍ ପ୍ରଭାବରେ ଉପକୂଳବର୍ତ୍ତୀ ଏରସମା ଓ ବାଲିକୁଦା ଅଞ୍ଚଳର କେତେକ ଚାଷଜମିରେ ଲୁଣ ପାଣି  ମାଡିଯିବା ସହ ଫସଲ କ୍ଷତି ହୋଇଛି । ଏରସମା ବ୍ଲକର ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ଅଞ୍ଚଳର କେତେକ ସ୍ଥାନରେ ପାନ ବରଜ ଭାଙ୍ଗିଯିବା ସହ ଚାଷଜମିରେ ଜଳ ମାଡିଯାଇଛି । ପାରାଦ୍ୱୀପର ଖାଲୁଆ ଅଞ୍ଚଳ ଜଳମଗ୍ନ ହେବା ସହ ଷଣ୍ଢକୁଦ ବସ୍ତିରେ ଚାଳଛପର ଉଡ଼ିଯାଇଛି । ବାତ୍ୟା ଆଶ୍ରୟସ୍ଥଳିରେ ଥିବା ଲୋକେ ନିଜନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ପାରାଦ୍ୱୀପ ଓ ଏରସମାରେ ନିୟୋଜିତ ଏନ୍‍ଡିଆରଏଫ ଓ ଓଡ୍ରାଫ ଟିମ୍‍ ରାସ୍ତାରେ ପଡିଥିବା ଗଛ ସଫା କରିବା ପରେ ଗମନାଗମନ ସ୍ୱାଭାବିକ ହେବାରେ ଲାଗିଛି । ଜିଲ୍ଲା  ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ ଆକଳନ ଆରମ୍ଭ ହୋଇଛି । ବିଦ୍ୟୁତ୍‍ ସରବରାହ ବ୍ୟାହତ ହୋଇଥିବା ଅଞ୍ଚଳରେ ବିଦ୍ୟୁତ୍‍ ଯୋଗାଣ ସକାଶେ ବିଭାଗୀୟ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି ।

 

ବାତ୍ୟା-ୟସ୍‍ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ବହୁ ଚାଷଜମିଜଳମଗ୍ନ ହୋଇଛି । ଚାନ୍ଦବାଲି ବ୍ଲକ୍‍ ଧାମରାରେ ଜୁଆର ପାଣି ଆସିବାରୁ ବାବାଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ପାଣି ପଶିବା ସହ ଚାଷଜମିରେ ଲୁଣ ପାଣି ମାଡିଯାଇଛି । ଜିଲ୍ଲାର ତିହିଡି, ଧାମନଗର,ବନ୍ତ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଭଦ୍ରକ ଏବଂ ବାସୁଦେବପୁର ବ୍ଲକ୍‍ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବିଦ୍ୟୁତ୍‍ ଖୁଣ୍ଟ ଓ ବଡ଼ ବଡ଼ ଗଛ ଉପୁଡି ପଡିଛି । ଏନ୍‍.ଡି.ଆର.ଏଫ୍‍, ଓଡ୍ରାଫ ଓ ଦମକଳ ବାହିନୀ କର୍ମଚାରୀମାନେ ରାସ୍ତାଘାଟ ସଫା କରିବା କାର୍ଯ୍ୟରେ ଲାଗିପଡିଛନ୍ତି । ଅନ୍ୟପକ୍ଷରେ ଭାଙ୍ଗିଯାଇଥିବା ବାସଗୃହ ଓ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାଶ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply