ମନ୍‌କି ବାତ୍‌ରେ ଜାମ୍ମୁ-କାଶ୍ମୀରରେ ସୁଶାସନ କଥା କହିଲେ ପ୍ରଧାନମନ୍ତ୍ରୀ

0 761

ନୂଆଦିଲ୍ଲୀ . – ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି । ତେବେ ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ । ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶ ବିଦେଶର ଲୋକଙ୍କ ସହିତ ନିଜ ଭାବ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଜମ୍ମୁ-କାଶ୍ମୀରରେ ବିକାଶ କାର୍ଯ୍ୟକ୍ରମରେ ଜନସାଧାରଣ ବହୁଳଭାବେ ଅଂଶଗ୍ରହଣ କରିବାଦ୍ୱାରା ଗୁଳିଗୋଳା ଅପେକ୍ଷା ବିକାଶର ଶକ୍ତି ଅଧିକ ସୁଦୃଢ଼ ବୋଲି ପ୍ରମାଣିତ ହୋଇପାରିଛି । ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନେ ପ୍ରାୟ ୪ ହଜାର ୫୦୦ ପଞ୍ଚାୟତ
ଗସ୍ତ କରି ସରକାରଙ୍କଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇଛନ୍ତି । ଦୁର୍ଗମ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଲାଗି ସମ୍ପୃକ୍ତ ଅଧିକାରୀମାନେ ବହୁ ପ୍ରତିକୂଳ ପରିସ୍ଥିତିରେ ବିଭିନ୍ନ ପଞ୍ଚାୟତରେ ପହଞ୍ଚପାରିଛନ୍ତି । ଏପରିକି ସେମାନଙ୍କୁ ପାହାଡ଼ ଚଢ଼ି ଏବଂ ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ିଥିଲା । ସୋପିୟାଁ, ପୁଲ୍‍ୱାମା, କୁଲ୍‍ଗାଓଁ ଓ ଅନନ୍ତନାଗ ଜିଲ୍ଲାର ସୀମା ନିକଟବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ଏହି ଅଧିକାରୀମାନେ ନିର୍ଭୀକ ଭାବେ ପହଞ୍ôଚ ଗ୍ରାମବାସୀଙ୍କୁ ଏହି ଯୋଜନା ସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ମଧ୍ୟ ଖୋଲା ହୃଦୟରେ ଅଂଶଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଏଭଳି କାର୍ଯ୍ୟକ୍ରମ ପ୍ରତି ୩ ମାସରେ ଥରେ ଆୟୋଜିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି । ସେହିଭଳି ଚଳିତ ବର୍ଷର ଅମରନାଥ ଯାତ୍ରା ସମ୍ପର୍କରେ ମତଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ୪ ବର୍ଷ ତୁଳନାରେ ଚଳିତ ବର୍ଷ ଅମରନାଥ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି । ଏହି ଯାତ୍ରା ଅବସରରେ ଜମ୍ମୁକାଶ୍ମୀରବାସୀଙ୍କ ଆତିଥେୟତା ଲାଗି ସେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମହାକାଶ ଅଭିଯାନ କ୍ଷେତ୍ରରେ ଚଳିତ ୨୦୧୯ ବର୍ଷକୁ ପ୍ରଧାନମନ୍ତ୍ରୀ ଏକ ସଫଳ ବର୍ଷ ଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ମହାକାଶକୁ ଚନ୍ଦ୍ରଯାନ-୨ର ସଫଳ ଉତ୍‍କ୍ଷେପଣକୁ ଦେଶବାସୀ ଗର୍ବର ସହିତ ଉପଭୋଗ କରିଛନ୍ତି । ଚନ୍ଦ୍ରଯାନ-୨ ଅଭିଯାନ ଯୁବବର୍ଗଙ୍କୁ ବିଜ୍ଞାନ ଓ ନୂତନ ପ୍ରକ୍ରିୟାକୁ ଆପଣେଇବା ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଆସନ୍ତା ସେପ୍ଟେମ୍ବର ମାସରେ ଚନ୍ଦ୍ରଯାନ-୨ରୁ ଯେତେବେଳେ ଲ୍ୟାଣ୍ଡର୍‍ ବିକ୍ରମ ଓ ରୋବର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ, ସେହି ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତୀୟ ବୈଜ୍ଞାନିକମାନେ ମହାକାଶକୁ ଇ-ଝବଗ୍ଧ ପ୍ରେରଣ କରିଛନ୍ତି । ଏହାଦ୍ୱାରା ୩୦୦ କିଲୋମିଟର ଦୂରରେ ଥିବା ଏକ ଉପଗ୍ରହକୁ ମାତ୍ର ୩ ମିନିଟ୍‍ ଭିତରେ ଧ୍ୱଂସ ରିପାରିବାର କ୍ଷମତା ଥିବା ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ଭାରତ ନିଜକୁ ପ୍ରତିପାଦିତ କରିପାରିଛି । ବିଜ୍ଞାନକୁ ବିକାଶର ପଥ ରୂପେ ବର୍ଣ୍ଣନା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ଏ ସମ୍ପର୍କିତ ଏକ କ୍ୱିଜ୍‍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରିଛନ୍ତି । ମହାକାଶ, ଭାରତର ମହାକାଶ ଅଭିଯାନ ଏବଂ ବିଜ୍ଞାନ ଓ କାରିଗରି କୌଶଳ ଏହି ପ୍ରତିଯୋଗିତାର ମୁଖ୍ୟ ବିଷୟବସ୍ତୁ ହେବ । ଏ ସମ୍ପର୍କିତ ବିସ୍ତୃତ ବିବରଣୀ ଗଚ୍ଚଏକ୍ଟଙ୍ଖ ୱେବ୍‍ସାଇଟ୍‍ରେ ମିଳିପାରିବ । ଏହି ପ୍ରତିଯୋଗିତାରେ ନିଜ ନିଜ ରାଜ୍ୟରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସରକାର ଶ୍ରୀହରିକୋଟାକୁ ନିମନ୍ତ୍ରଣ କରିବେ । ଏଥିଲାଗି ଆବଶ୍ୟକ ଖର୍ଚ୍ଚ ସରକାର ବହନ କରିବେ । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଶ୍ରୀହରିକୋଟାରେ ଉପସ୍ଥିତ ରହି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣ କରିବାର ମୁହୂର୍ତ୍ତକୁ ଉପଭୋଗ କରିବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହିତ ମିଶି କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତରେ ପ୍ରଭାବିତ ଲୋକଙ୍କୁ ରିଲିଫ୍‍ ଓ ସହାୟତା ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ କହିଛନ୍ତି, ମନ୍‍ କୀ ବାତ୍‍ର ଗତ ସଂସ୍କରଣରେ ଜଳର
ସଂରକ୍ଷଣ ଲାଗି ସେ ଯେଉଁ ଡାକରା ଦେଇଥିଲେ, ସେଥିଲାଗି ଜନସାଧାରଣଙ୍କ ପକ୍ଷରୁ ଅକୁଣ୍ଠ ସମର୍ଥନ ମିଳିଛି । ଜନସାଧାରଣ ଜଳ ସଂରକ୍ଷଣ ଲାଗି ପାରମ୍ପରିକ ପ୍ରଥା ସମ୍ପର୍କିତ ତଥ୍ୟକୁ ନିଜ ଭିତରେ ବାଣ୍ଟିଛନ୍ତି ଏବଂ ଏ
ସମ୍ପର୍କରେ ଗଣମାଧ୍ୟମ ପକ୍ଷରୁ ମଧ୍ୟ କେତେକ ଅଭିନବ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏକ ନିଜସ୍ୱ ଏକ ଜଳନୀତି ପ୍ରଣୟନ କରିଥିବାରୁ ପ୍ରଧାନମନ୍ତ୍ରୀ ମେଘାଳୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିଭଳି କମ୍‍ ପାଣି ଆବଶ୍ୟକ କରୁଥିବା ଫସଲ କରିବା ଲାଗି ହରିୟାଣା ସରକାରଙ୍କ ପ୍ରୋତ୍ସାହନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ସ୍ୱଚ୍ଛତା ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଏବେ ଏକ ନୂତନ ରୂପ
ଧାରଣ କରିଛି । ଏହି ଅଭିଯାନ ବର୍ତ୍ତମାନ ସ୍ୱଚ୍ଛତାରୁ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗକୁ ଅଗ୍ରସର ହୋଇଛି । ସେହିଭଳି ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକରୁ ଅଧିକ ପୁସ୍ତକ ପଠନ କରିବା ଲାଗି ତାଙ୍କ ଅନୁରୋଧକୁ
ଜନସାଧାରଣ ବହୁଳଭାବେ ଗ୍ରହଣ କରିଛନ୍ତି । ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ବିପୁଳ ଭାବେ ଅଂଶଗ୍ରହଣ କରି ଏହି
ଦିବସକୁ ଏକ ଗଣପର୍ବ ଭାବେ ପାଳନ କରିବାଲାଗି ସମସ୍ତ ପ୍ରସ୍ତୁତି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ।

Leave A Reply