କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‍ ଅନ୍ତର୍ଗତ ଆଖାଡାଶାଳୀ ଗ୍ରାମଠାରେ ନିର୍ମିତ ହେବାକୁ ଥିବା ନଦୀଭିତ୍ତିକ ବନ୍ଦରାଞ୍ଚଳ

0 3,523

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‍ ଅନ୍ତର୍ଗତ ଆଖାଡାଶାଳୀ ଗ୍ରାମଠାରେ ନିର୍ମିତ ହେବାକୁ ଥିବା ନଦୀଭିତ୍ତିକ ବନ୍ଦରାଞ୍ଚଳକୁ ରାଜ୍ୟ
ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଟିମ୍‍ ବନ୍ଦରାଞ୍ଚଳ ପରିଦର୍ଶନରେ ଯାଇଥିଲେ । ଅନ୍ୟମାନଙ୍କ  ମଧ୍ୟରେ ୫ଟି ସଚିବ ବି.କେ ପାଣ୍ଡିଆନ୍‍, ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ସମେତ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଅନ୍ୟାନ୍ୟ ଅଧିକାରୀ ଟିମ୍‍ରେ ଯାଇଥିଲେ ।

ବାର୍ଷିକ ୫୪ ମେଟ୍ରିକ୍‍ ଟନ୍‍ କ୍ଷମତାବିଶିଷ୍ଟ ଏହି ବନ୍ଦରର ସରକାରୀ ଏବଂ ଘରୋଇ ସହଭାଗୀତାରେ ନିର୍ମିତ ହେବ । ଏଥିପାଇଁ ୪ ହଜାର ୬୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆବଶ୍ୟକ ଭିତ୍ତିଭୂମି ବିକାଶ ଲାଗି ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟକୁ ଦାୟିତ୍ୱ ଅର୍ପଣ କରାଯାଇଛି ।

ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ଲାଗି ୩ଶହ ହେକ୍ଟର ଜମି ପ୍ରଦାନ ଲାଗି ଚିହ୍ନଟ କରାଯାଇଛି । ଆବଶ୍ୟକସ୍ଥଳେ ଅଧିକ ଜମି ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପାଖାପାଖି ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ବନ୍ଦର ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଇତିମଧ୍ୟରେ କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ସମ୍ମତି ପ୍ରଦାନ କରିଛି । ପରିଦର୍ଶନରେ ଯାଇଥିବା ଟିମ୍‍ ବିଧାୟକ ଅତନୁ ସବ୍ୟଶାଚୀ ନାୟକଙ୍କ ସହ
ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ ସମ୍ପର୍କିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଛନ୍ତି ।

Leave A Reply