ପଶ୍ଚିମବଙ୍ଗର ଅଶୋକନଗରଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍‍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ

0 2,746

ଦୀର୍ଘ ୭୦ ବର୍ଷର ଅପେକ୍ଷା ପରେ ତୈଳ ଓ ଗ୍ୟାସ ଅନ୍ୱେଷଣ ଏବଂ ଉତ୍ତୋଳନ ରାଷ୍ଟ୍ରାୟତ କମ୍ପାନୀ ଓଏନଜିସି ଦେଶ ପାଇଁ ବଡ଼  ସଫଳତା ଆଣିଛି ବୋଲି ଆଜି ପଶ୍ଚିମବଙ୍ଗର ଅଶୋକନଗରଠାରେ ଓଏନଜିସିର ଅଷ୍ଟମ ଉତ୍ପାଦନ ବେସିନ୍‍କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ୍‍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ସେହିପରି ଆଜିର ଉଦଘାଟନ ଉତ୍ସବ ପଶ୍ଚିମବଙ୍ଗର ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗସ୍ତର ଶେଷ ଦିନରେ ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି  ଯେ ୧୯୪୯ ମସିହାରୁ ପଶ୍ଚିମବଙ୍ଗର ବ୍ରହ୍ମପୁତ୍ର, ଦାମୋଦର, ଗଙ୍ଗା ତ୍ରିକୋଣଭୂଖଣ୍ଡରୁ ତୈଳ ଓ ଗ୍ୟାସର ଅନୁସନ୍ଧାନ କରାଯାଉଥିଲା । ୬୦ ଦଶକରେ ଓଏନ୍‍ଜିସି ମଧ୍ୟ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ଏଠାରୁ ଉତ୍ତୋଳନ ଜାରି ରଖିଥିଲା । ତେବେ ୧୭ ବର୍ଷର ଅପେକ୍ଷା ପରେ ପଶ୍ଚିମବଙ୍ଗର ଏହି ଭୂଖଣ୍ଡରୁ ଅଶୋଧିତ ତୈଳ ଉତ୍ପାଦନ କରାଯିବ ।

ଏହି ସଫଳତା ପାଇଁ ଶ୍ରୀ ପ୍ରଧାନ ଓଏନଜିସିକୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦେଶର ତୈଳ ଓ ଗ୍ୟାସ ଆମଦାନୀ ନିର୍ଭରତାକୁ ହ୍ରାସ କରିବା ପାଇଁ ଦେଶରୁ ହିଁ ତୈଳ  ଓ ଗ୍ୟାସର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହା ପେଟ୍ରୋଲିୟମ ବିଭାଗ ପାଇଁ ବଡ଼ ଆହ୍ୱାନ ଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ କ୍ରମେ ଅଶୋକନଗର ଠାରେ ଉଦଘାଟିତ ହୋଇଯାଇଥିବା ବାଣିଜ୍ୟିକ ଇନ୍ଧନ ଉତ୍ପାଦନ ବେସିନରୁ ସର୍ବୋକ୍ରୃଷ୍ଟ ମାନର ଅଶୋଧିତ ତୈଳ ଉତ୍ପାଦନ କରାଯିବ । ଏହି ଅଶୋଧିତ ତୈଳକୁ ହଳଦିଆ ରିଫାନାରୀକୁ ନିଆଯିବ ।

ଶ୍ରୀ ପ୍ରଧାନ କହିଛନ୍ତି ପଶ୍ଚିମବଙ୍ଗରେ ଓଏଏଲପି ଅଧୀନରେ ତୈଳ ଏବଂ ଗ୍ୟାସର ଅନ୍ୱେଷଣ ପାଇଁ ଲିଜ୍‍ ନିଆଯାଇଛି । ନୂଆ ଇନୋଭେସନ ଏବଂ ନୂଆ ଟେକ୍ନୋଲୋଜି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ନୂଆ ସମ୍ଭାବନା ଅଣାଯିବ । ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ତଥା ଅଶୋକନଗରର ଅନ୍ୟ କୂଅ ଗୁଡ଼ିକରୁ ଉତ୍ପାଦନ ଆରମ୍ଭ କରିବା ପାଇଁ ଜୋରଦାର ଉଦ୍ୟମ ପଶ୍ଚିମବଙ୍ଗର ଆର୍ଥିକ ବିକାଶ ଉପରେ ସୁପ୍ରଭାବ ପକାଇବ । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ ସହ ଅର୍ଥନୀତିର ମଧ୍ୟ ବିକାଶ ହେବ ।

Leave A Reply