ବଦଳିଯିବ ଭାରତୀୟ ସେନାର ପୋଷାକ
ନୂଆଦିଲ୍ଲୀ: ଭାରତୀୟ ସେନାର ବର୍ତ୍ତମାନର ପୋଷାକ କିଛି ଦିନ ପରେ ବଦଳିଯାଇପାରେ । ସେନା ମୁଖ୍ୟାଳୟ ଠାରୁ ଆରମ୍ଭ କରି ଦୁର୍ଗମ ଅଂଚଳରେ ମୁତୟନ ଥିବା ଯବାନଙ୍କୁ ପୋଷାକ ପରିବର୍ତ୍ତନ କରାଯିବା ପାଇଁ ପରାମର୍ଶ ମଗାଯାଇଛି । ବର୍ତ୍ତମାନର ପାରଂପରିକ ପୋଷାକ ପରିବର୍ତ୍ତନ ହେଲେ, ତା’ର ସ୍ଥାନରେ ନୂତନ ସ୍ମାର୍ଟ ଓ ଆରାମଦାୟକ ପୋଷାକ ଆସିବ । ଏଥି ପାଇଁ ବିଶ୍ୱର ଭିନ୍ନ ଭିନ୍ନ ଦେଶର ସେନାର ପୋଷାକ ନେଇ ସମୀକ୍ଷା ଚାଲିଛି । ଦେଶର ଭିନ୍ନ ଭିନ୍ନ ସ୍ଥାନର ଜୟବାୟୁ ଅଲଗା ଥିବାରୁ ପୋଷାକ କିଭଳି ହେବା ଦରକାର ସେ ବାବଦରେ ମଧ୍ୟ ଚିନ୍ତା କରାଯାଉଛି ।
ସେନା ମୁଖ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସେନାର ବର୍ଦ୍ଦିର କପଡ଼ା ପରିବର୍ତ୍ତନ କରାଯାଇପାରେ । ବର୍ତ୍ତମାନ ଯେଉଁ ବର୍ଦ୍ଦି ଅଛି, ଏଥିରେ ଟେରିକଟ ମିଶିଛି । ଫଳରେ ଗ୍ରୀଷ୍ମଋତୁରେ ଆରାମଦାୟକ ହୋଇ ନଥାଏ । ସେନା ଏହାକୁ ପୁରୁଣା ସୂତାସ୍ଥାନରେ ଗ୍ରହଣ କରିଥିଲା । ସେତେବେଳେ ଯୁକ୍ତି ବଢ଼ାଯାଇଥିଲା ଯେ, ସୂତାରେ ପ୍ରସ୍ତୁତ ବର୍ଦ୍ଦିର ହେପାଜତ କରିବାରେ ଅସୁବିଧା ହେଉଛି ।