ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦେଶୀୟ ୟୁରୋପ ଗସ୍ତର ଦ୍ୱିତୀୟ ଦିନରେ ଅପରାହ୍ଣରେ ଡେନ୍ମାର୍କର ରାଜଧାନୀ କୋପେନ୍ହେଗେନ୍ରେ ଯାଇ ପହଞ୍ଚିଛନ୍ତି । ଏକ ସ୍ୱତନ୍ତ୍ର ଶୁଭେଚ୍ଛାମୂଳକ ପଦକ୍ଷେପ ସ୍ୱରୂପ ଡେନ୍ମାର୍କର ପ୍ରଧାନମନ୍ତ୍ରୀ ମେଟେ ଫେଡେରିକ୍ସେନ୍ ବିମାନ ବନ୍ଦରରୁ ଶ୍ରୀ ମୋଦୀଙ୍କୁ ପାଛୋଟି ନେଇଥିଲେ । ଡେନ୍ମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ସେ ଦ୍ୱିପକ୍ଷିୟ କଥାବାର୍ତ୍ତା କରିଛନ୍ତି । ଭାରତ ଓ ଡେନ୍ମାର୍କ ମଧ୍ୟରେ ପ୍ରଥମଥର ପାଇଁ ସ୍ୱାକ୍ଷରିତ ସବୁଜ କୌଶଳାତ୍ମକ ଭାଗିଦାରୀ ରାଜିନାମାର ପ୍ରଗତିକୁ ଉଭୟ ନେତା ସମୀକ୍ଷା କରିଛନ୍ତି ।
ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦୀ କହିଛନ୍ତି, ଭାରତ-ଡେନ୍ମାର୍କ ଗଣତନ୍ତ୍ର, ବାକ୍ ସ୍ୱାଧୀନତା ଏବଂ ଆଇନ୍ ତଥା ଅନେକ କ୍ଷେତ୍ରରେ ଭାବର ଆଦାନପ୍ରଦାନ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଡେନ୍ମାର୍କର ୨୦୦ରୁ ଊଦ୍ଧ୍ୱର୍ କମ୍ପାନୀ ଭାରତର ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି ଏବଂ ବ୍ୟବସାୟ କୋହଳ ବୃଦ୍ଧି ପଦକ୍ଷେପ ଏବଂ ଭାରତରେ ଆର୍ଥିକ ସଂସ୍କାର ଯୋଗୁଁ ଏହି କମ୍ପାନୀ ଗୁଡ଼ିକ ଉପକୃତ ହୋଇଛନ୍ତି ।
ଡେନ୍ମାର୍କର କମ୍ପାନୀ ଗୁଡ଼ିକ ପାଇଁ ଅନେକ ପୁଞ୍ଜିନିବେଶ ସୁଯୋଗ ରହିଛି ଏବଂ ଭାରତର ମୌଳିକଢାଞ୍ଚା ଓ ସବୁଜ ଶିଳ୍ପ କ୍ଷେତ୍ରରେ ଡେନ୍ମାର୍କର ପେନ୍ସନ୍ ପାଣ୍ଠି ଉପଳବ୍ଧ କରାଯାଉଛି । ଭାରତ-ୟୁରୋପୀୟ ସଂଘ ସମ୍ପର୍କ, ଭାରତ-ପ୍ରଶାନ୍ତ ମହାସାଗର ଏବଂ ୟୁକ୍ରେନ୍ ସମେତ ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରିଥିବାର ଶ୍ରୀ ମୋଦୀ ଜଣାଇଛନ୍ତି ।
ସନ୍ଧ୍ୟାରେ ଶ୍ରୀ ମୋଦୀ ଭାରତ-ଡେନ୍ମାର୍କ ବ୍ୟବସାୟ ଫୋରମ୍ ବୈଠକରେ ଯୋଗଦେବେ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ । ରାଣୀ ମାଗ୍ରେଥେ ଦ୍ୱିତୀୟଙ୍କୁ ମଧ୍ୟ ଶ୍ରୀ ମୋଦୀ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଉଭୟ ଦେଶ ମଧ୍ୟରେ କୌଶଳ ବିକାଶ, ଜାହାଜ ଚଳାଚଳ, କୃଷି କାରୀଗରି ବିଦ୍ୟା ଓ ପରିବହନ ତଥା ଗମନା ଗମନ କ୍ଷେତ୍ରରେ ଭାଗିଦାରୀ ସଂପର୍କକୁ ନୂଆ ଦିଗ୍ଦର୍ଶନ ଦେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଭାରତ ନୋର୍ଡିକ୍ ଶୀର୍ଷ ବୈଠକରେ ଯୋଗଦେବେ । ଡେନ୍ମାର୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ମହାମାରୀ ପରବର୍ତ୍ତୀ ଆର୍ଥିକ ସୁଧାର, ଜଳବାୟୁ ପରିବର୍ତ୍ତନ, ଅଭିନବତା, ବୈଷୟିକ ଜ୍ଞାନ କୌଶଳ, ନବୀକରଣ ଶକ୍ତି ଓ ବିଶ୍ୱସ୍ତରୀୟ ନିରାପତ୍ତା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା ହେବ । ଭାରତର ନିରନ୍ତର ବିକାଶ, ପୁର୍ନନବୀକରଣ ଶକ୍ତି, ଡିଜିଟିକରଣ ଓ ଅଭିନବତା କ୍ଷେତ୍ରରେ ନୋର୍ଡିକ୍ ଦେଶ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନିଭାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ନୋର୍ଡିକ୍ ଦେଶସମୂହ ସହ ଭାରତର ବହୁପାକ୍ଷିକ ସହଯୋଗକୁ ଆହୁରି ସମ୍ପ୍ରସାରଣ କରିବ ବୋଲି ଆଶା କରାଯାଉଛି । ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ପ୍ୟାରିସ୍ରେ ଅଳ୍ପ ସମୟ ପାଇଁ ରହିବେ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୱେଲ୍ ମାକ୍ରନ୍ଙ୍କୁ ସାକ୍ଷାତ କରିବେ । ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନପ୍ରଦାନକୁ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଆହୁରି ଆଗେଇ ନେବା ଦିଗରେ ସୁଯୋଗ ପ୍ରଦାନ କରିବ ।
Comments are closed, but trackbacks and pingbacks are open.