ଦେଶରେ ଇଦ୍-ଉଲ୍-ଫିତର୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଉଛି । ପବିତ୍ର ରମ୍ଜାନ୍ ମାସ ଶେଷରେ ପାଳିତ ହେଉଥିବା ଇଦ୍- ଉଲ୍-ଫିତର ଈଶ୍ୱର ଭକ୍ତି ଓ କୃତଜ୍ଞତାର ପ୍ରତୀକ ବହନ କରିଥାଏ । କରୋନା ମହାମାରୀ ପରେ ଆଜି ଇଦ୍ଗା ଓ ମସ୍ଜିଦ୍ ଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ବିପୁଳ ସଂଖ୍ୟାରେ ଆଗମନ ହେଉଛି । ଏଥିପାଇଁ ଦିଲ୍ଲୀର ଜାମା ମସ୍ଜିଦ୍, ଫତେପୁରୀ ମସ୍ଜିଦ୍, ସାହି ଇଦ୍ଗାଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ଉପସାଗରୀୟ ଦେଶ ଗୁଡ଼ିକରେ ଇଦ୍-ଉଲ୍-ଫିତର୍ ପାଳିତ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ରମଜାନ୍ ମାସ ଶେଷରେ ଆଜିର ଦିନରେ ଗରିବ ଲୋକମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରିବାର ଉକ୍ରୃଷ୍ଟ ପରମ୍ପରା ରହିଆସିଛି । ଏହି ପର୍ବ ସମାଜରେ ଶାନ୍ତି, ବିକାଶ ଓ ଏକତା ବଜାୟ ରଖିବା ପାଇଁ ପ୍ରେରଣା ଦେଇଥାଏ । ସାଧାରଣ ଜନତା ଓ ଅସହାୟ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସମସ୍ତେ ସେବା ମନୋଭାବ ପୋଷଣ କରନ୍ତୁ ବୋଲି ସେ ଆଜିର ପବିତ୍ର ଇଦ୍-ଉଲ୍-ଫିତର୍ ଅବସରରେ ଆହ୍ୱାନ କରିଛନ୍ତି ।
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି, ଇଦ୍-ଉଲ୍-ଫିତର୍ ଉଦାରତାର ଭାବନାକୁ ଉଦ୍ରେକ କରାଇବା ସହ ଲୋକମାନଙ୍କୁ ବନ୍ଧୁତା, ଭ୍ରାତୃଭାବ, ପ୍ରେମ ଓ ପାରସ୍ପରିକ ସମ୍ମାନର ବନ୍ଧନରେ ବାନ୍ଧି ରଖିଥାଏ । ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଶାନ୍ତି, ସଦ୍ଭାବନା ଓ ସୁଖ ଆଣିଦେଉ ବୋଲି ସେ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପବିତ୍ର ଦିବସରେ ଭ୍ରାତୃତ୍ୱଭାବର ବିକାଶ ସହିତ ମିଳିତ ଭାବେ ଆଗେଇ ଆସିବା ପାଇଁ ସମସ୍ତଙ୍କୁ ପ୍ରେରଣା ମିଳୁ ବୋଲି ଆଶା କରିଛନ୍ତି । ଏହି ଅବସରରେ ସେ ସମସ୍ତଙ୍କର ଉତ୍ତମ ସୁସ୍ଥ ଓ ବିକାଶ କାମନା କରିଛନ୍ତି ।
Comments are closed, but trackbacks and pingbacks are open.