ମହାପ୍ରଭୂ ବଡଦେଉଳ ଛାଡି ଘୋଷଯାତ୍ରା କରିଛନ୍ତି . ବିରହ ବେଦନାରେ ମା ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଚିନ୍ତାରେ . ପତିଙ୍କ ବିରହ ବିଧୁରା ଲକ୍ଷ୍ମୀ ସାଆନ୍ତାଣିଙ୍କ ବିରହ ବେଦନା ଅସହ୍ୟ . ଏହି ବେଦନାକୁ ଭଉଣୀ ବିମଳାଙ୍କ ପାଖରେ ପ୍ରକାଶ କରିଛନ୍ତି ଲକ୍ଷ୍ମୀ ଠାକୁରାଣି . ଏହାର ପ୍ରତିକାର ପାଇଁ ମା ବିମଳା ସୁପାରିଶ କରିଛନ୍ତି ଗୁଣ୍ଡିଚା ବାଡିକୁ ଯାତ୍ରା କରି ସ୍ବାମୀକୁ ଦେଖାକରି ଜଣାଅ . ସବୁ ପ୍ରଶମନ ହେବ . ସ୍ବାମୀ ଜଗନ୍ନାଥ ଏବେ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ନେଇ ଗୁଣ୍ଡିଚା ମନ୍ଦିରରେ ଅଧିଷ୍ଠିତ . ତେଣୁ ସ୍ବାମୀଙ୍କ ଉଚ୍ଚାଟିତ କରିବାକୁ ପଡିବ . ମୋହଚୂର୍ଣ୍ଣ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବାକୁ ବିମଳା ଲକ୍ଷ୍ମୀଙ୍କୁ ପରାମର୍ଶ ଦେଇଛନ୍ତି .
ଏହି ପରମ୍ପରା କ୍ରମେ ସୋମବାର ରାତିରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିବେ . ଏକାନ୍ତରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ପ୍ରଭୂଙ୍କୁ ମୋହାଞ୍ଜନରେ ବିମୁଗ୍ଧ କରିବାକୁ ଉଦ୍ୟମ କରିବେ . ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ଏବଂ ରଥତଳେ ନୀତି ବଢିବା ଭିତରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟାହ୍ନ ଧୂପ ସରି ଶାଢୀ ଲାଗି, ଆଳତି ସରି ପ୍ରଭୂ ଜଗନ୍ନାଥଙ୍କ ବାଡରେ ମହାସ୍ନାନ ଓ ତିନି ବାଡରେ ସର୍ବାଙ୍ଗ ହୋଇ ବେଶ ଶେଷ ହେବ . ଏହା ପରେ ସଂଧ୍ୟା ଧୂପ ବସି ପୂଜା ବସିଥିବା ସମୟରେ ହିଁ ଲକ୍ଷ୍ମୀ ଠାକୁରାଣୀ ଜୁବିଜୟ ଦ୍ବାରକୁ ବିଜେ କରିବେ . ଏହି ସମୟରେ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଅଜ୍ଞାମାଳା ବିଜେ କରିବ ମା ଲକ୍ଷ୍ମୀଙ୍କୁ ଲାଗି ନିମନ୍ତେ . ପରେ ମାଙ୍କ ବିମାନ ଜଗମୋହନରୁ ଯାଇ ନାକଚଣା ଦ୍ବାର ନିକଟରେ ଅଟକିବ . ଏଠାରେ ଭିତରୁଚ୍ଛ ମହାପାତ୍ର ବନ୍ଦାପନା ଓ ଦହି ପଟି ମଣୋହି ବଢାଇବେ . ଏହିନୀତି ସରିବା ପରେ ଲକ୍ଷ୍ମୀ ରଥ ପାଖକୁ ପହଂଚି ରଥ ଭାଙ୍ଗିବା ସହ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ . ଆଉ ଏହା ପରେ ହିଁ ଆରମ୍ଭ ହବ ବାହୁଡା ପାଇଁ ପ୍ରସ୍ତୁତି ପର୍ବ ଅର୍ଥାତ ତିନି ରଥ ନେବ ଦକ୍ଷିଣ ମୋଡ .