କୁଖ୍ୟାତ ଅପରାଧୀ ସେକ୍ ହାଇଦରକୁ ଧରିବା ଲାଗି ପୁଲିସ୍….
କୁଖ୍ୟାତ ଅପରାଧୀ ସେକ୍ ହାଇଦରକୁ ଧରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ହୋଇଛି । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା କହିଛନ୍ତି, କମିଶନରେଟ୍ ପୁଲିସ୍ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏହି ଟିମ୍ କଟକ, କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଷ୍ଟେସନ, ବିମାନ ବନ୍ଦର ଓ ବସ୍ଷ୍ଟାଣ୍ଡ ଉପରେ ବି ନଜର ରଖାଯାଇଛି । ସେ କହିଛନ୍ତି, ହାଇଦରକୁ ଖୁବ୍ ଶୀଘ୍ର ଧରିବା ଲାଗି ସମସ୍ତପ୍ରକାର ପ୍ରଚେଷ୍ଟା ଜାରି ରହିଛି । ଏହି ବୈଠକରେ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ କ୍ରାଇମ୍ବ୍ରାଞ୍ଚ ଏଡିଜି ଯୋଗଦେଇଥିଲେ । ଅନ୍ୟପକ୍ଷରେ କଟକ ବଡ଼ ଡାକ୍ତରଖାନାରୁ ହାଇଦର ଫେରାର୍ ହେବା ଘଟଣାରେ ଦାୟିତ୍ୱରେ ଥିବା ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଜଣେ ହାବିଲଦାରଙ୍କ ସମେତ ୫ ଜଣ କନେଷ୍ଟବଳ ହାଇଦରକୁ ଏସସିବି ମେଡିକାଲରେ ଜଗି ରହିଥିଲେ ।
ସୂଚନାଯୋଗ୍ୟ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରୁ ହାଇଦର ଫେରାର ହୋଇଯାଇଛି ।