ପୁରୀ ଶ୍ରୀମନ୍ଦିରରେ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ ଏବଂ କାଳୀପୂଜା ଓ ଦୀପଦାନ କରାଯିବ । ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର୍ୟ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି ପାଳିତ ହେବ । ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜଳାଇବା ସହ ମଙ୍ଗୁମଠ ଏବଂ ମା’ କାକୁଡ଼ିଖାଇଙ୍କ ମନ୍ଦିର ନିକଟରେ କାଉଁରିଆ ଜଳାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶ୍ରଦ୍ଧାଳୁମାନେ ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ କରିପାରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ମଙ୍ଗଳବାରଦିନ ଅପରାହ୍ଣ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ସଂଧ୍ୟା ୬ଟା ୨୬ମିନିଟ୍ ୫୨ସେକେଣ୍ଡରେ ମୋଖ୍ୟ ହେବ ।
ଏଥିପାଇଁ ମଙ୍ଗଳବାର ଭୋର୍ ୪ଟା ୫୭ ମିନିଟ୍ରୁ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିଛି । ସୋମବାର ରାତି ୧୨ଟାରେ ଦ୍ୱାର ଫିଟାଯାଇ ଠାକୁରଙ୍କର ଦେବନୀତି ଆରମ୍ଭ ହେବ । ସାଢ଼େ ୨ଟାରୁ ୩ଟା ମଧ୍ୟରେ ସକାଳ ଧୂପ ଏବଂ ୪ଟା ୫୫ରେ ଭୋଗମଣ୍ଡପ ନୀତି ଶେଷ ହେବାର କାର୍ୟ୍ୟସୂଚୀ ସ୍ଥିର ହୋଇଛି । ଅପରାହ୍ଣରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଅନୁଷ୍ଠିତ ହୋଇ ଠାକୁରଙ୍କୁ ଗ୍ରହଣ ଭୋଗ ଲାଗି ହେବ । ଛତିଶାନିଯୋଗ ବୈଠକରେ
ଠାକୁରଙ୍କର ଏହି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ସୂର୍ୟ୍ୟୋପରାଗ ପାଇଁ ମଙ୍ଗଳବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ ।
Comments are closed, but trackbacks and pingbacks are open.