ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀ(ଏମଏନ୍ଜିଏଲ)ର ୫ଟି ଗ୍ୟାସଷ୍ଟେସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମଏନଜିଏଲ୍ କମ୍ପାନୀର ସିଏନଜି ନେଟ୍ୱାର୍କ ୧୦୦ରେ ପହଞ୍ଚିଛି ।
ଏହି ଅବସରରେ ଶ୍ରୀ ପ୍ରଧାନ ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ (ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଅଂଶ ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ । ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ପାଇବ । ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ ।