ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ- ଏଥର ବିଜେଡି ଭଲ କରିବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୋଟ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଯାଇଥିବା ବେଳେ ନବୀନ ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରୋଡ୍ରମ କଲୋନୀର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ବୁଥ ନମ୍ବର ୧୧୨ରେ ନବୀନ ମତଦାନ କରିଛନ୍ତି । ଭୋଟ ଦେବା ପୂର୍ବରୁ ନବୀନ ବଡ଼ ଲାଇନରେ ଛିଡ଼ା ହୋଇଥିଲେ ।
ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପରେ ନବୀନ ଗଣମାଧ୍ୟମକୁ କହିଛନ୍ତି, ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିବ । ସୂଚନାଯୋଗ୍ୟ ଆଜି ୩ୟ ପର୍ଯ୍ୟାୟରେ ଓଡ଼ିଶାର ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏହି ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଆବଶ୍ୟକ ପଡ଼ିଲେ ବିଳମ୍ବିତ ରାତି ଯାଏଁ ମଧ୍ୟ ମତଦାନ ହୋଇପାରେ । କାରଣ ଇଭିଏମ ତ୍ରୁଟି ଯୋଗୁଁ ଆଜି ସକାଳୁ ରାଜ୍ୟର ଅନେକ ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟତୀତ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । ଶ୍ରୀ ପ୍ରଧାନ ଅନୁଗୁଳ ଜିଲ୍ଲାର ତାଳଚେର ସ୍ଥିତ ଏକ ମତଦାନ କେନ୍ଦ୍ରରେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ୱରରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ମଧ୍ୟ ଆଜି ଭୋଟ ଦେଇଛନ୍ତି । ସେହିଭଳି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ୨୫୨ ନମ୍ବର ବୁଥରେ ମତଦାନ କରିଛନ୍ତି ।