ଭୁବନେଶ୍ୱର ୧୩।୦୩-ବର୍ତ୍ତମାନସୁଦ୍ଧା ଓଡ଼ିଶାରେ କୌଣସି ବ୍ୟକ୍ତି କରୋନା ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ି ନ ଥିଲେ ମଧ୍ୟ ବିଶ୍ୱବ୍ୟାପୀ ବିଶେଷକରି ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କୋଭିଡ଼୍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଆଜି କରୋନା ନେଇ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବକୁ ବିଧାନସଭା ଚାଲୁଥିବାରୁ ଗୃହରେ ତା’ର ସମସ୍ତ ବିବରଣୀ ମୁଖ୍ୟମନ୍ତ୍ରୀ ରଖିଥିଲେ ।
ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି କରାଯାଇଛି । ସେହିଭଳି ଚଳିତ ମାସ ୩୧ ତାରିଖ ଯାଏ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ତେବେ ପରୀକ୍ଷା ଚାଲୁଥିଲେ କିମ୍ବା ପରୀକ୍ଷା ହେବାର ଥିଲେ ସେହି ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ନାହିଁ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏହାର ନିର୍ଦେଶାଳୟ ଏବଂ
ଜିଲ୍ଲାପାଳମାନଙ୍କୁ ଏଥିନେଇ ଆବଶ୍ୟକ ହେଉଥିବା ଜରୁରୀ କାଳୀନ ଔଷଧ ଓ ଅନ୍ୟ ଉପକରଣ କିଣିବାକୁ ଅଧିକୃତ କରାଯାଇଛି।
ସେହିପରି ସ୍ୱୀକୃତ ଅଧିକାରୀମାନେ ବଡ ସମାଗମ, ଏକତ୍ରୀକରଣକୁ ନିୟନ୍ତ୍ରିତ କରିବାକୁ ନିୟମ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ଭୂତାଣୁ କାରଣରୁ ଉପୁଜୁଥିବା ସ୍ଥିତି ଉପରେ ନଜର ରଖିବା ପାଇଁ
ଓ ଏହା ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ଏକ କମିଟି ଗଠନ କରାଯାଇଛି।
ଏହା ସହ ସମସ୍ତ ସିନେମାହଲ୍, ସୁଇମିଂ ପୁଲ୍, ଜିମ୍ ଆଦିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି କର୍ମଶାଳା, ସମ୍ମିଳନୀ, ଶୋଭାଯାତ୍ରା ଆଦି ନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ
କହିଛନ୍ତି କରୋନାର କୌଣସି ଉପଚାର କିମ୍ବା ଔଷଧ ନଥିବାରୁ କେବଳ ସଚେତନତା ହିଁ ରକ୍ଷା କରିପାରିବ । ସେହିଭଳି ବାହାରେ ଛେପ ନପକାଇବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।
ତେବେ କରୋନାକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁକେତେକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହା ଅନୁସାରେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ ।
କୌଣସି ହସ୍ପିଟାଲ୍କୁ ଆସୁଥିବା କରୋନା ସନ୍ଦିଗ୍ଧ ସବୁପ୍ରକାର ତଥ୍ୟ ହସ୍ପିଟାଲ୍ କର୍ତ୍ତୃପକ୍ଷ ରଖିବେ । ଯଦି କେହି କରୋନା ସମ୍ପର୍କରେ ଗୁଜବ ପ୍ରଚାର କରନ୍ତି, ଏହାକୁ ଅପରାଧ ଭାବେ ବିବେଚନା କରାଯିବ । ସେହିଭଳି କୌଣସି ଘରୋଇ ଲ୍ୟାବରେ କରୋନା ପରୀକ୍ଷାକୁ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛି ।