୨୦୨୧-୨୨ ଆର୍ଥିକ ବର୍ଷ ଲାଗି୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‍ ଗୃହରେ ଉପସ୍ଥାପନ

0 268

ଅତିରିକ୍ତ ବଜେଟ୍‍ ଉପସ୍ଥାପନ

ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶ ଆରମ୍ଭ ହୋଇଛି । ପୂର୍ବାହ୍ଣ ୧୧ଟାରେ ଜାତୀୟ ସଂଗୀତ ପରିବେଷଣ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବଂଗତ ପୂର୍ବତନ ଉପବାଚସ୍ପତି, ପୂର୍ବତନ ସଦସ୍ୟ, ପୂର୍ବତନ ପୁଲିସ୍‍ ସିପାହୀ ଏବଂ କରୋନା ଯୋଦ୍ଧାମାନଙ୍କ ପ୍ରତି ଗୃହରେ ଶୋକ ପ୍ରକାଶ କରାଯାଇଥିଲା ।


ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହର କେତେକ ସଦସ୍ୟ ଦିବଂଗତ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ରାଜନୈତିକ ଜୀବନ ଓ ଗୃହ କାର୍ଯ୍ୟର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଦୋରା ମାଲକାନଗିରିର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ୧୯୭୭, ୧୯୯୦ ଏବଂ ୨୦୧୪ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ସେହିଭଳି ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ୧୯୯୦, ୨୦୦୦ ଓ ୨୦୦୪ରେ ତିନିଥର ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ କରିଥିବା ଜନକଲ୍ୟାଣମୂଳକ କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।


କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ରାମରାୟ ମୁଣ୍ଡା ଏବଂ ଓଡ୍ରାଫ୍‍ କର୍ମଚାରୀ ସୀତାରାମ ର୍ମୁର୍ମୁଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଓ ଗୃହର ସଦସ୍ୟମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକପ୍ରସ୍ତାବକୁ ସମର୍ଥନ ଜଣାଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାଚସ୍ପତି ଦିବଂଗତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଗୃହରେ ୧ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ଆଲୋଚନା ସହ ଗୃହୀତ ହେବା ପରେ ବାଚସ୍ପତି ଆଜିର ଦିନକୁ ଧାର୍ଯ୍ୟ ଓ କାର୍ଯ୍ୟସୂଚୀରେ ସ୍ଥାନ ପାଇଥିବା ସମସ୍ତ ବିବରଣୀ ଉପସ୍ଥାପନ କରାଯିବ ବୋଲି କହି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଚଗଇଣ)ରେ ଓଡ଼ିଶାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଆଣି ବିଜେଡ଼ି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଓଡ଼ିଶାକୁ ଚଗଇଣ ଯୋଜନାରେ ୧୩ ଲକ୍ଷ ପକ୍‍କା ଘର ମଞ୍ଜୁର କରିବାକୁ ରାଜ୍ୟ ସରକାର ଦାବି କରିଥିବା ବେଳେ କେନ୍ଦ୍ର ସରକାର ୫ ଲକ୍ଷ ଆବାସ ଲାଗି ମଞ୍ଜୁରୀ ଦେଇଥିବା ବିଜେଡ଼ି ଅଭିଯୋଗ କରିଛି । ଓଡ଼ିଶାରେ ବାରମ୍ବାର ବାତ୍ୟା
ହେଉଥିଲେ ମଧ୍ୟ ଆବଶ୍ୟକ ଘର ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସହାୟତା ଆଶାନୁରୂପ ଯୋଗାଇ ଦିଆଯାଉ ନ ଥିବା ବିଜେଡି ଅଭିଯୋଗ ଆଣି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଆଜି ସ୍ମାରକପତ୍ର ଦେଇଛି ।


ଅନ୍ୟପକ୍ଷରେ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଉଠାଇ ତାଙ୍କୁ ଗୃହମଧ୍ୟକୁ ପୂରାଇ ନ ଦେବା ଲାଗି ବିଜେପି ବାଚସ୍ପତିଙ୍କ ନିକଟରେ ଦାବି କରିଛି । ସେହିଭଳି କଂଗ୍ରେସ ପକ୍ଷରୁ ମମିତା ମେହେର ପ୍ରସଙ୍ଗରେ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଉଠାଇ ବିଧାନସଭା ଫାଟକକୁ ଦଳର ବିଧାୟକମାନେ ବନ୍ଦ କରିବା ସହ ସେଠାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ତେବେ ବିଧାନସଭାର ତିନୋଟି ପ୍ରବେଶପଥ ମଧ୍ୟରୁ ଦୁଇଟିରେ ବିଧାୟକମାନେ
ବିକ୍ଷୋଭ କରୁଥିବାବେଳେ ମୁଖ୍ୟ ପ୍ରବେଶ ପଥରେ ପକାଯାଇଥିବା ତାଲାକୁ ଭଙ୍ଗାଯାଇଥିବା ଜଣାପଡିଛି ।


ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ଣ ୫ଟାରେ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସର ସଦସ୍ୟମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ସରକାର ବିରୋଧୀ ସ୍ଲୋଗାନ୍‍ ଦେଇଥିଲେ । ଏହାପରେ ସେମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିବାରୁ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବାଚସ୍ପତି ହଟ୍ଟଗୋଳ ଭିତରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ୍‍ ଗୃହରେ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଡାକିଥିଲେ । ଶ୍ରୀ ପୂଜାରୀ ୧୯ ହଜାର ୮୩୩ କୋଟି ଟଙ୍କାର
ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିଛନ୍ତି ।

Leave A Reply