ବିଧବା ଆଦିବାସୀ ମହିଳାଙ୍କୁ ପୁଲିସ କନେଷ୍ଟବଳ ଖରାପ ବ୍ୟବହାର କରିଥିବା ଅଭିଯୋଗ
ବଲାଙ୍ଗୀର . – ବିଧାୟକଙ୍କ ପରେ ବଲାଙ୍ଗୀରରେ ଏବେ ଜଣେ ପୁଲିସ କନେଷ୍ଟବଳଙ୍କ ଅସୌଜନ୍ୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।। ଜମି ବିବାଦକୁ ନେଇ ପୁଲିସ କନେଷ୍ଟବଳଙ୍କ ଜଣେ ବିଧବା ମହିଳାଙ୍କୁ ଥାନାରେ ପିଟିଥିବା ଅଭିଯୋଗ ହୋଇଥିବା ବେଳେ ପୁଲିସ
ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ପୁଲିସ ଆଉ ଜଣଙ୍କୁ ମଧ୍ୟ ଗିରଫ କରିଛି।
ବଲାଙ୍ଗୀର ସହରର ଗାନ୍ଧୀନଗର ପଡ଼ାରେ ରହୁଥିବା ଏହି ବିଧବା ଆଦିବାସୀ ମହିଳାଙ୍କ ଦେଢ଼ଶୁର ଏକ ଜାଗା ବିକ୍ରି କରିବାକୁ ଉଦ୍ୟମ
କରିଥିଲେ। ହେଲେ ଜମି ଭାଗ ହୋଇନଥିବାରୁ ବିକ୍ରି ପାଇଁ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍ରେ ଏହି ମହିଳାଙ୍କ ଦସ୍ତଖତ ଦରକାର
ହୋଇଥିଲା। ତେବେ ସେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ। ତେଣୁ ଜମି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ବଲାଙ୍ଗୀର ଟାଉନ୍ ଥାନା କନଷ୍ଟେବଳ ଅଞ୍ଜନ ପ୍ରଧାନ ଏଥିରେ ହସ୍ତକ୍ଷେପ କରିଥିଲେ ଓ ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ୍ରେ ଦସ୍ତଖତ କରିବାକୁ ତାଙ୍କୁ ଧମକଚମକ ଦେଉଥିଲେ। ଏଥିପାଇଁ ସେ ମହିଳାଙ୍କୁ ପୁଅକୁ ଥାନାରେ ବେଆଇନ ଭାବେ ଅଟକ ରଖିଥିବା ଓ ପରେ ମହିଳାଙ୍କୁ ପୁଅକୁ ନେବା ପାଇଁ ଡାକି ଥାନା ଭିତରେ ପିଟିବା ସହ ଦୁର୍ବ୍ୟବହାର କରିଥିବା ସମ୍ପୃକ୍ତ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ପରେ ସମ୍ପୃକ୍ତ କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଗିରଫ କରାଯାଇଛି ।