ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ
ଘାଇ

130

ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । କଣାସ, ଡେଲାଙ୍ଗ, ପିପିଲି, ନିମାପଡା, ଗୋପ ଓ ପୁରୀ ସଦର ବ୍ଲକର ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୮ଟି ପଞ୍ଚାୟତର ୧୩୮ଟି ଗ୍ରାମ ଜଳବନ୍ଦୀ ହୋଇଛି । ବନ୍ୟାଜଳ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ମାଡୁଥିବାରୁ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପ୍ରଶାସନ ପକ୍ଷରୁ ୭୫୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଳିଆ ପଡିଥିବା ୨୫ଟି ସ୍ଥାନରେ ବାଲିବସ୍ତା ପକାଯାଉଛି । ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।


ଉଦ୍ଧାର କାର୍ଯ୍ୟରେ ୨ଟି ଏନ୍‍.ଡି୍‍.ଆର୍‍.ଏଫ୍‍., ୨ଟି ଓଡ୍ରାଫ୍‍ ଓ ୧୬ଟି ଅଗ୍ନିଶମ ଦଳଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡିକୁ ଦୁଇ ଦିନ ଲାଗି ଛୁଟି ଘୋଷଣା କରାଯାଇଛି । ଗତକାଲି ରାତିରେ ଗୋପ ବ୍ଲକ ଅନ୍ତର୍ଗତ ନେତପୁର ନିକଟ କୁଶଭଦ୍ରା ନଦୀ ବନ୍ଧରେ ୨୫ ଫୁଟର ଘାଇ ହେବା ଯୋଗୁ ଖଣ୍ଡିଆକୁଦ ଗ୍ରାମ ଜଳବନ୍ଦୀ ହୋଇଛି । ରାଜୁଆ ନଦୀର ହଳଦିଆପଡା ଏବଂ ମକରା ନଦୀର ପହିଲୁଣ୍ଡି ଗ୍ରାମ ନିକଟରେ ଘାଇ ହେବା ଯୋଗୁ ୨୦ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ଧନୁଆ ନଦୀରେ ଘଳିଆ ଯୋଗୁ ବଡମାଛପୁର ପଞ୍ଚାୟତର ୫ଟି ଗ୍ରାମ ଜଳମଗ୍ନ ହୋଇଛି ।

Comments are closed, but trackbacks and pingbacks are open.