୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାକରଣ ପାଇଁ ଦେଶବ୍ୟାପୀ ପଞ୍ଜୀକରଣ ଆରମ୍ଭ ହେବ । ଏହି ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି କୋ-ୱିନ୍ ପୋର୍ଟାଲ କିମ୍ବା ଆରୋଗ୍ୟସେତୁ ଆପ୍ରେ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିପାରିବେ । ହିତାଧିକାରୀଙ୍କୁ ମୋବାଇଲ ମେସେଜ୍ ଜରିଆରେ କେଉଁଠି ଓ କେଉଁ ସମୟରେ ଟିକା ଦିଆଯିବ ତାହା ଜଣାଇ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି, ଆସନ୍ତା ମାସ ୧ ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ ଟିକାକରଣର ସଫଳ କାର୍ଯ୍ୟକାରିତା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଟିକାର ଉପଲବ୍ଧତାକୁ ନେଇ ଟିକାକରଣର ଦିନ ଓ ତାରିଖ ସମ୍ପର୍କରେ ନାଗରିକମାନଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ଡକ୍ଟର ପାଣିଗ୍ରାହୀ କହିଛନ୍ତି । କାରଣ ଦେଶବ୍ୟାପୀ ୧୮ ବର୍ଷ ବୟସର ନାଗରିକଙ୍କୁ ଟିକା ଦିଆଯିବାକୁ ସ୍ଥିର କରାଯାଇଥିବାବେଳେ ରାଜ୍ୟରେ ଟିକା ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ, ଗତକାଲି ରାଜ୍ୟର ୫୯୫ଟି କେନ୍ଦ୍ରରେ ମୋଟ୍ ୮୮ ହଜାର ୭୭୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏହି ସମୟ ସୁଦ୍ଧା ୫୬ ଲକ୍ଷ ୩୯ ହଜାର ୧୫୦ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟ ସରକାର ଇତିମଧ୍ୟରେ ୧୮ ବର୍ଷରୁ ଊଦ୍ଧ୍ୱର୍ ସମସ୍ତଙ୍କ ପାଇଁ ମାଗଣା ଟିକା ବିଷୟ ଘୋଷଣା କରିସାରିଥିବା ବେଳେ ଟିକା ପ୍ରଦାନ ନିୟମରେ କେତେକ କୋହଳ କରିଛନ୍ତି । ତଦନୁଯାୟୀ, ଘରୋଇ ଡାକ୍ତରଖାନାରେ ପ୍ରଥମ ଡୋଜ୍ କୋଭିଡ୍ ପ୍ରତିଷେଧକ ଟିକା ନେଇଥିବା ବ୍ୟକ୍ତି ତାଙ୍କର ଦ୍ୱିତୀୟ ଡୋଜ୍ ସରକାରୀ ଡାକ୍ତରଖାନାରେ ନେଇପାରିବେ । ଅନ୍ୟପକ୍ଷରେ ପ୍ରଥମ ଡୋଜ୍ ଟିକା ପରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ୍ୟ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । କ୍ରମାଗତ ୬ ଦିନ ଧରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାରରୁ ଅଧିକ ରହିଛି । ଆଜି ସମଗ୍ର ରାଜ୍ୟ ଓ ଷ୍ଟେଟ୍ପୁଲ୍ରୁ ୬ ହଜାର ୭୩ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୩ ହଜାର ୫୨୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୨ ହଜାର ୫୫୧ ଜଣ ସ୍ଥାନୀୟ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରୁ ୪୫୭, ନୂଆପଡ଼ାରୁ ୪୦୦, ସୁନ୍ଦରଗଡ଼ରୁ ୩୭୧, ଝାରସୁଗୁଡ଼ାରୁ ୩୫୯, ବରଗଡ଼ରୁ ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝର ଓ ପୁରୀରୁ ୨୬୬ ଜଣ ଲେଖାଏଁ, ଅନୁଗୁଳରୁ ୨୩୯, ଗଞ୍ଜାମରୁ ୨୦୯ ଓ ନବରଙ୍ଗପୁର ଜିଲ୍ଲାରୁ ୨୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାଛଡ଼ା କଟକ ଜିଲ୍ଲାରୁ ୧୯୮, ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁ ୧୪୯, ନୟାଗଡ଼ରୁ ୧୧୦, ଯାଜପୁରରୁ ୧୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାଛଡ଼ା ରାୟଗଡ଼ା ଜିଲ୍ଲାରୁ ୨ ଜଣ ଓ ବୌଦ୍ଧ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ହଜାର ୭କୁ ବୃଦ୍ଧି ପାଇଛି