ଔଷଧ ପ୍ରତିରୋଧକତା ମୁକାବିଲାରେ ଫାର୍ମାସିଷ୍ଟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଓ ଜାତୀୟ ଫାର୍ମାସି ସପ୍ତାହ-୨୦୨୬ ପାଳିତ; ୧୫୦୦ରୁ ଊର୍ଦ୍ଧ୍ୱଙ୍କ ଯୋଗଦାନ
ଭୁବନେଶ୍ୱର, ୨୯ ନଭେମ୍ବର ୨୦୨୬: ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ପକ୍ଷରୁ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟର କନଭୋକେସନ୍ ହଲ୍ଠାରେ ଓଡ଼ିଶା ରାଜ୍ୟସ୍ତରୀୟ ବିଶ୍ୱ ଫାର୍ମାସିଷ୍ଟ ଦିବସ ଓ ଜାତୀୟ ଫାର୍ମାସି ସପ୍ତାହ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ସୁସ୍ଥ ଭାରତ: ଔଷଧ ପ୍ରତିରୋଧକତାର ମୁକାବିଲା । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଫାର୍ମାସି ଶିକ୍ଷାନୁଷ୍ଠାନରୁ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ, ଗବେଷକ, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଯୋଗଦେଇଥିଲେ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ଗୌରୀ ଶଙ୍କର ଶତପଥୀ ମୁଖ୍ୟ ଅତିଥି ଏବଂ ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆର ଉପାଧ୍ୟକ୍ଷ ଶ୍ରୀ ଜଶୁଭାଇ ହୀରାଭାଇ ଚୌଧୁରୀ ଓ ଓଡ଼ିଶାର ଡ୍ରଗ୍ସ କଣ୍ଟ୍ରୋଲର ଶ୍ରୀମତୀ ମମିନା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ଔଷଧର ସଠିକ୍ ବ୍ୟବହାର, ଆଣ୍ଟିବାୟୋଟିକ୍ର ଅପବ୍ୟବହାର ରୋକିବା, ଜନସଚେତନତା ଓ ଆଣ୍ଟିମାଇକ୍ରୋବିଆଲ୍ ଷ୍ଟିୱାର୍ଡସିପ୍ରେ ଫାର୍ମାସିଷ୍ଟଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।
କାର୍ଯ୍ୟକ୍ରମରେ ଚାରୋଟି ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନରେ ଆଇସିଏମଆର-ଏନଆଇଏଚଆର, ଭୁବନେଶ୍ୱରର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ଏଏମଆରର ବର୍ଦ୍ଧିତ ବିପଦ, ଜନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଏବଂ ଗବେଷଣା ଓ ରୋଗ ନିରୀକ୍ଷଣର ଆବଶ୍ୟକତା ସମ୍ପର୍କରେ ମୁଖ୍ୟ ବକ୍ତୃତା ପ୍ରଦାନ କରିଥିଲେ।



ଦ୍ୱିତୀୟ ଅଧିବେଶନରେ “ଏକ ସ୍ୱାସ୍ଥ୍ୟ, ଏକ ପଦକ୍ଷେପ: ଏଏମଆରକୁ ଏବେ ହିଁ ରୋକନ୍ତୁ” ବିଷୟରେ ପ୍ୟାନେଲ୍ ଆଲୋଚନା ହୋଇଥିଲା। ଏଥିରେ ଡଃ ହୃଷୀକେଶ ମହାପାତ୍ର, ଡଃ ବିମଳ କୁମାର ଚୌଧୁରୀ ଓ ଡଃ ସସ୍ମିତା ମଲ୍ଲିକ ଅଂଶଗ୍ରହଣ କରିଥିଲେ। ଏହାକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଯୁଡିପିଏସର ସଂଯୋଜକ ଡଃ ସାଗର କୁମାର ମିଶ୍ର ପରିଚାଳନା କରିଥିଲେ। ମଣିଷ, ପଶୁପକ୍ଷୀ ଓ ପରିବେଶର ସ୍ୱାସ୍ଥ୍ୟକୁ ଏକାଠି ଦେଖିବାର ‘ୱାନ୍ ହେଲ୍ଥ’ ଦୃଷ୍ଟିକୋଣ ଉପରେ ଆଲୋଚନା ହୋଇଥିଲା।
ତୃତୀୟ ଅଧିବେଶନରେ ଆଇସିଏମଆର-ଏନଆଇଏଚଆରର ବୈଜ୍ଞାନିକ-ଏଫ୍ ଡଃ ଇରା ପ୍ରହରାଜ କମ୍ୟୁନିଟି ଫାର୍ମାସିରେ ଆଣ୍ଟିମାଇକ୍ରୋବିଆଲ୍ ଷ୍ଟିୱାର୍ଡସିପ୍ ଏବଂ ଏନଏପି-ଏଏମଆର ୨.୦ର ନୀତି ଓ କାର୍ଯ୍ୟକାରିତା ମଧ୍ୟରେ ଥିବା ବ୍ୟବଧାନ ବିଷୟରେ ଆଲୋକପାତ କରିଥିଲେ।
ଚତୁର୍ଥ ଅଧିବେଶନରେ “ଶିକ୍ଷାନୁଷ୍ଠାନରୁ ସମୁଦାୟ ପର୍ଯ୍ୟନ୍ତ: ଏକ ସମନ୍ୱିତ ଫାର୍ମାସି ଶିକ୍ଷା ବ୍ୟବସ୍ଥା ଗଠନ” ବିଷୟରେ ପ୍ୟାନେଲ୍ ଆଲୋଚନା ହୋଇଥିଲା। ଏଥିରେ ପ୍ରଫେସର ବିଶ୍ୱଜିତ ମୁଖାର୍ଜୀ, ଡଃ ଅଜୟ କୁମାର ନାୟକ ଓ ଡଃ ଲଳିତ କୁମାର ସାହୁ ଯୋଗଦେଇଥିଲେ। ଅଧିବେଶନକୁ ଓୟୁଏଚଏସର ଡିନ୍, ଫାର୍ମାସି ଡଃ ସନ୍ତୋଷ କୁମାର ମହାପାତ୍ର ପରିଚାଳନା କରିଥିଲେ। ଫାର୍ମାସି ଶିକ୍ଷାର ଗୁଣାତ୍ମକ ବିକାଶ ଓ ଦକ୍ଷ ଫାର୍ମାସିଷ୍ଟ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଆୟୋଜକ କମିଟି କଟକସ୍ଥିତ ଦଧିଚି କଲେଜ ଅଫ୍ ଫାର୍ମାସି, ଭୁବନେଶ୍ୱରସ୍ଥିତ ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଅବଦାନକୁ ସ୍ୱୀକାର କରିଛନ୍ତି। ଏହା ସହିତ କାର୍ଯ୍ୟକ୍ରମର ଆୟୋଜନ ଏବଂ ପରିଚାଳନାରେ ସହାୟତା କରିଥିବା ଶ୍ରୀ ସୌଭାଗ୍ୟ ଲେଙ୍କା, ୱାର୍ଲ୍ଡ ଫାର୍ମାସିଷ୍ଟ ଡେ’ (ବିଶ୍ୱ ଫାର୍ମାସିଷ୍ଟ ଦିବସ) ର ରାଜ୍ୟ ସଂଯୋଜକ ଡକ୍ଟର ରଜତ କୁମାର ଏବଂ ରାଜ୍ୟ ସହ-ସଂଯୋଜକ ଡକ୍ଟର ଗୁରୁଦତ୍ତ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ କମିଟି ପ୍ରଶଂସା କରିଛନ୍ତି।
ଉତ୍ସବରେ କୁଇଜ୍, ସାଇଟୁନ୍ ଓ ପୋଷ୍ଟର ପ୍ରେଜେଣ୍ଟେସନ୍ ଭଳି ଶୈକ୍ଷିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିସହିତ “ସ୍ୱାଗତର ସୁର”, “ସଙ୍ଗୀତର ମନୋରମ ପରିବେଷଣ” ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଦିନବ୍ୟାପୀ କାର୍ଯ୍ୟକ୍ରମର ଶେଷରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସାମୂହିକ ଫଟୋଗ୍ରାଫି ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।
ଏହି ଉତ୍ସବ କେବଳ ଏକ ପାଳନ ଉତ୍ସବ ନୁହେଁ, ବରଂ ଫାର୍ମାସି ବୃତ୍ତିର ଉନ୍ନତି, ବୈଜ୍ଞାନିକ ଚିନ୍ତନ ଓ ଜନସ୍ୱାସ୍ଥ୍ୟ ସଚେତନତାର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହୋଇଥିଲା । ଏଏମଆର ମୁକାବିଲା ପାଇଁ ଫାର୍ମାସିଷ୍ଟ, ଡାକ୍ତର, ଗବେଷକ, ନୀତି ନିର୍ଦ୍ଧାରକ ଓ ସାଧାରଣ ଜନତାଙ୍କ ସମନ୍ୱିତ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ଏହି ଉତ୍ସବରେ ମତ ପ୍ରକାଶ ପାଇଥିଲା।
ଔଷଧର ସଠିକ୍ ବ୍ୟବହାର, ଆଣ୍ଟିମାଇକ୍ରୋବିଆଲ୍ ଷ୍ଟିୱାର୍ଡସିପ୍ ଓ ୱାନ୍ ହେଲ୍ଥ ଦୃଷ୍ଟିକୋଣ ମାଧ୍ୟମରେ ଏକ ସୁସ୍ଥ ଭାରତ ଗଠନ ହିଁ ଏହି ଆୟୋଜନର ମୁଖ୍ୟ ସନ୍ଦେଶ ଥିଲା ।
Comments are closed, but trackbacks and pingbacks are open.