ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ

0 850

ଭୁନେଶ୍ୱର- ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ଏହି କିଛିସମୟ ପୂର୍ବରୁ ଅର୍ଥାତ୍‍ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। କୋଭିଡ୍‍ କଟକଣାକୁ ପାଳନ କରାଯାଇ ଭୋଟ୍‍ଗ୍ରହଣ ଯେପରି ସୁରୁଖୁରୁରେ ହୋଇପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ନିର୍ବାଚନ ମଣ୍ଡଳୀରେ ଥିବା ସମ୍ବେଦନଶୀଳ ବୁଥ୍‍ଗୁଡ଼ିକରେ ସିସିଟିଭି ଲଗାଯାଇଥିବାବେଳେ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ସମସ୍ତ ପୁଲିଂ ବୁଥ୍‍ଗୁଡ଼ିକୁ ସାନିଟାଇଜ୍‍ କରାଯିବା ସହ ଭୋଟରଙ୍କ ସୁବିଧା ପାଇଁ ବୁଥ୍‍ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଗୋଟିଏ ବୁଥ୍‍ରେ ୧ହଜାର ଭୋଟର ମତଦାନ କରିପାରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୩୦ହଜାର ୨୯୭ଜଣ ମତଦାତା ୬ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୧୮ହଜାର ୬୫୮ଜଣ ପୁରୁଷ ମତଦାତା ଥିବାବେଳେ ୧ଲକ୍ଷ ୧୧ହଜାର ୬୩୦ଜଣ ମହିଳା ଏବଂ ୯ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି। ମତଦାନ ପାଇଁ ୩୪୬ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

ସମଗ୍ର ନିର୍ବାଚନ ମଣ୍ଡଳୀରେ ୮୫ଟି ସମ୍ବେଦନଶୀଳ ବୁଥ୍‍ ଓ ୧୬ଟି ମଡେଲ ବୁଥ୍‍ ରହିଛି। ସେହିପରି ଜଗତ୍‍ସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ୨ଲକ୍ଷ ୩୯ହଜାର ୧୫୩ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‍ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି। ସେଥିମଧ୍ୟରୁ ୧୫୧ଟି ବୁଥ୍‍ ସମ୍ବେଦନଶୀଳ ଥିବାବେଳେ ଭୋଟ୍‍ଗ୍ରହଣ ପରିଚାଳନା ପାଇଁ ୪୦ଜଣ ମାଇକ୍ରୋ ଅବଜରଭର ଓ ୮୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆସନ୍ତା ୧୦ ତାରିଖ ଦିନ ଭୋଟ୍‍ଗଣତି ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Leave A Reply