ପୁରୀରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗା ପୂଜା ବା ଷୋଳ ପୂଜାରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମୂଳାଷ୍ଟମୀରେ ବ୍ରାହ୍ମଣ ବରଣ କରଥାଆନ୍ତି ।ଏହି ସମୟରେ ସେଠାରେ ଦୁର୍ଗାମାଧବ ଉପାସନା କରାଯାଏ ।
ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ:
“ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ”
ଶ୍ରୀଜୀଉଙ୍କ ସକାଳଧୂପ ପରେ ଦୁର୍ଗାମାଧବ ବିମଳାଙ୍କ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି ।ଷୋଳପୂଜାର ପ୍ରଥମ ଆଠଦିନରେ ଏହି ନୀତି ସମ୍ପାଦିତ ହୋଇଥାଏ । ସନ୍ଧ୍ୟାଧୂପ ପରେ ଦୁର୍ଗାମାଧବ ପ୍ରତ୍ୟାବର୍ତ୍ତନ କରନ୍ତି ।
ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ତେବେ ବର୍ଷର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମା କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ ।
ଶେଷ ଆଠଦିନ ଦୁର୍ଗାମାଧବଙ୍କୁ ଚଉଦୋଳରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରାଯାଏ । ସେଠାରେ ପୂଜାର୍ଚ୍ଚନା ପରେ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ରାଜ୍ୟର ଅନ୍ୟ କୌଣସି ଶକ୍ତିପୀଠରେ ଦୁର୍ଗାମାଧବ ଉପାସନା ବ୍ୟବସ୍ଥା ନାହିଁ । କେବଳ ମା’ବିମଳାଙ୍କ ପୀଠରେ ଷୋଳପୂଜା ସମୟରେ ଦୁର୍ଗାମାଧବଙ୍କୁ ଏକତ୍ର ପୂଜା କରାଯାଏ । ଶ୍ରୀବାଳପୁରୁଷୋତ୍ତମ ଦେବ ଏବଂ ମା’ଦୁର୍ଗା ଷୋହଳଦିନ ଧରି ରୁନ୍ଧାଦିଅଁ ଭାବେ ଏକତ୍ର ପୂଜା ପାଆନ୍ତି। ଦଶହରା ତିଥିରେ ରୁନ୍ଧା ଫିଟାଯାଏ । ରାଜ୍ୟର ଅନ୍ୟ ଶକ୍ତିପୀଠରେ କେବଳ ମା’ଦୁର୍ଗାଙ୍କୁ ପୂଜା କରାଯିବାର ବିଧି ରହିଛି । ଶ୍ରୀମନ୍ଦିରରେ ଦୁର୍ଗା ଓ ମାଧବଙ୍କୁ ଗୋଟିଏ ଖଟୁଲିରେ ବସାଇ ପୂଜା କରାଯାଏ। ଏହି ଅନନ୍ୟ ପରମ୍ପରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତପୋଷଣ କରନ୍ତି।