ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବାରୁ ଆସନ୍ତା ୨୦ତାରିଖରୁ ଶ୍ରେଣୀଗୃହରେ ସ୍ନାତକ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଉଭୟ ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହକୁ ଆସି ପାଠ ପଢ଼ିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ
ଅଧ୍ୟକ୍ଷ ଓ ଭିସିଙ୍କୁ ପତ୍ର ଲେଖାଯାଇଛି । ତେବେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣଭାବେ ହ୍ରାସ ପାଇ ନଥିବାରୁ କଣ୍ଟେନମେଣ୍ଟ ଜୋନ୍ର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କଲେଜ ଆସିବା ଉପରେ ପ୍ରତିବନ୍ଧକ ।
ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଗତକାଲି ଗୋଟିଏ ଦିନରେ ଆଉ ୬୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ହଜାର ୬୨୧କୁ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୩ ଜଣ ପିଲା ସଂକ୍ରମିତ ହୋଇଥିବା
ଜଣାପଡିଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଓ କଟକରୁ ୯୦ ଏବଂ ଷ୍ଟେଟ୍ପୁଲ୍ରୁ ୭୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ କମ୍ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୧୨୮କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ସ୍ଥିର ରହିଛି । ତେବେ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ।
ସେ କହିଛନ୍ତି ଯେ ବର୍ତ୍ତମାନ କରୋନା ନେଇ ରାଜ୍ୟରେ ଯାହା ସ୍ଥିତି ଅଛି ଆକ୍ଟିଭ କେସ, ହସ୍ପିଟାଇଲାଇଜେସନ କମୁଛି, ମୃତ୍ୟୁସଂଖ୍ୟା କମିଛି, ଏବଂ ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମୁଛି । ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୫୦୦ ରୁ ୬୦୦ ଭିତରେ ରହୁଛି । ।
ସେ କହିଛନ୍ତି ଯେ ଅନ୍ୟ ସ୍ଥାନ ଅପେକ୍ଷା ଭୁବନେଶ୍ୱର ଓ କଟକରେ ଟିକିଏ ଅଧିକ ରହୁଛି । ଯେହେତୁ ଓଡ଼ିଶାର ସବୁ ବଡ଼ ବଡ଼ ହସ୍ପିଟାଲ ଏଠି ରହିଛି, ସେଥିପାଇଁ ଏଠି ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି । ବର୍ତ୍ତମାନ ସବୁ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରି ଦିଆଯାଇଛି । ତେବେ ବର୍ତ୍ତମାନ ସ୍ଥିତି ସ୍ଥ ିର ଅଛି । କିନ୍ତୁ ଆଗାମୀ ତିନି ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ତିନି ମାସ ଆମକୁ ଯଥେଷ୍ଟ ସଚେତନ ରହିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।