ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ- ୧୮ ତାରିଖରୁ ପୁଣି ଲଘୁଚାପ ବର୍ଷା

0 96

ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ପରେ ଆଜି ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ୧୭ ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି
କରି ୧୮ ତାରିଖ ସକାଳସୁଦ୍ଧା ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ ।


ଏହାର ପ୍ରଭାବରେ ୧୭ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ । ଅନ୍ୟ ପକ୍ଷରେ ଉପକୂଳ ଓଡ଼ିଶାର ୧୧ଟି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ୧୯ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ସହ କାନ୍ଥ ଭୁଶୁଡ଼ି ଅନେକେ ଆହତ ହୋଇଥିବାର ସୂଚନା ମିଳିଛି । ଏଥିସହିତ ୩ହଜାର
୮୧୯ ଜଣ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି । ବର୍ଷା ଯୋଗୁଁ ୨୬୫ଟି ଘର ଭାଙ୍ଗିଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନର କାର୍ଯ୍ୟାଳୟରୁ ଜଣାପଡ଼ିଛି । ପ୍ରଭାବିତ ଜିଲ୍ଲା ଗୁଡ଼ିକ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, କଟକ, ଯାଜପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା ଓ ଅନୁଗୁଳ ଜିଲ୍ଲାର ୫୩ଟି ବ୍ଲକ୍‍ର ୨୭୮୯ଟି ଗାଁ ଓ ୧୪ଟି ପୌରାଞ୍ଚଳରେ ବର୍ଷା ବିତ୍ପତ୍ତି ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ଦୁଇ ଜଣ ଓ ଖୋର୍ଦ୍ଧା ଜିଲ୍ଲାରେ ନାଳରେ ଭାସିଯାଇ ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି ।

ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ଟି ବ୍ଲକ୍‍ ପ୍ରଭାବିତ ବର୍ଷାରେ ହୋଇଥିବା ବେଳେ ଜଗତସିଂପୁର ଜିଲ୍ଲାର ୧୩୨୧ଟି ଗାଁ ଜଳବନ୍ଦି ମଧ୍ୟରେ ରହିଛି । କେନ୍ଦ୍ରାପଡ଼ାର ୮୧୧ଟି ଓ ଯାଜପୁରର ୫୧୫ଟି ଗାଁ ଜଳବନ୍ଦୀ ମଧ୍ୟରେ ରହିଛି । ପାଣି ଜମିଥିବା ତଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମାଗଣା ରନ୍ଧାଖାଦ୍ୟ ପ୍ରଭାବିତମାନଙ୍କୁ ଯୋଗାଇ ଦିଆଯାଇଛି । ଲଘୁଚାପ ଏବେ ଅବପାତରେ ରୂପାନ୍ତରିତ ହୋଇଥିବାରୁ ଉପକୂଳ ଜିଲ୍ଲାରେ ବର୍ଷା ପରିମାଣ କମିଛି । ତେବେ ପଶ୍ଚିମ ଓଡ଼ିଶା ପାଇଁ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି ।

Leave A Reply