ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଏବେ ନୂଆ ଆହ୍ୱାନର ସମ୍ମୁଖୀନ

0

ଭୁବନେଶ୍ୱର : ଓଡ଼ିଶାର ଥିବା ଭରପୁର ଖଣିଜ ସମ୍ପଦ, ଦୃଢ ଶିଳ୍ପ ଭିତିଭୂମି ଏବଂ ବଡ଼ ଧରଣର ନିବେଶ ପ୍ରତିଶ୍ରୁତି ରାଜ୍ୟରେ ଆର୍ôଥକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରୁଛି । ଏହା ସତ୍ୱେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ବଢ଼ୁଥିବା ଶିଳ୍ପ ପ୍ରତିଯୋଗିତା ଓଡ଼ିଶା ପାଇଁ ନୂଆ ଆହ୍ୱାନ ସୃଷ୍ଟି କରିଛି ।  ଏଭଳି ସ୍ଥିତିରେ ପଡ଼ି ରହିଥିବା ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବା ସହ ନିବେଶକୁ ନିଯୁକ୍ତି ଓ ଆର୍ôଥକ ସମୃଦ୍ଧିରେ ପରିଣତ କରିବା ଜରୁରୀ ହୋଇପଡ଼ିଛି ।

ନିଜର ନୀତିଗତ ରିପୋର୍ଟ “ଓଡ଼ିଶାର ଶିଳ୍ପାୟନ ପାଇଁ ନୂଆ ଆହ୍ୱାନ” ଜରିଆରେ ଥିଙ୍କ ଚେଞ୍ଜ ଫୋରମ୍ (ଟି.ସି.ଏଫ୍‌), ପୂର୍ବ ଭାରତ ଆର୍ଥିକ ପରିଷଦ ଅଧୀନରେ, ରାଜ୍ୟରେ ଖଣିଜଭିତିକ ଶିଳ୍ପାୟନକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି ।

ରିପୋର୍ଟ ଅନୁଯାୟୀ, ପଡ଼ୋଶୀ ରାଜ୍ୟଗୁଡ଼ିକ ଶିଳ୍ପ କ୍ଷେତ୍ରରେ ବଡ଼ ନିବେଶ ଆଣିବାକୁ ଆଗେଇ ଆସୁଛନ୍ତି । ବେଦାନ୍ତ ପଶ୍ଚିମବଙ୍ଗରେ ୭୦,୦୦୦ରୁ ୮୦,୦୦୦ କୋଟି ଟଙ୍କା ନିବେଶ କରିବାକୁ ବିଚାର କରୁଛି, ଯାହାଦ୍ୱାରା ପ୍ରାୟ ୧୦,୦୦୦ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି, ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀରେ ଏଏମ୍‌ଏନ୍‌ଏସ୍ ଇଣ୍ଡିଆ ୧.୩୬ ଲକ୍ଷ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପକୁ ଆଗକୁ ବଢ଼ାଉଛି । ଏହି ନିବେଶଗୁଡ଼ିକ ଆଞ୍ଚଳିକ ଶିଳ୍ପାୟନର ବଢ଼ୁଥିବା ପ୍ରତିଯୋଗିତାକୁ ଦର୍ଶାଉଥିବାବେଳେ ଓଡ଼ିଶା ନିଜର ଶିଳ୍ପ ସମ୍ଭାବନାକୁ ନିବେଶ ଓ ନିଯୁକ୍ତିରେ ପରିଣତ କରିବାର ଆବଶ୍ୟକତାକୁ ମଧ୍ୟ ସ୍ପଷ୍ଟ କରୁଛି ।

ଭାରତର ମୋଟ ଚିହ୍ନଟ ବକ୍ସାଇଟ୍ ସମ୍ପଦର ୪୧% ଏବଂ ଦେଶର ମୋଟ ବକ୍ସାଇଟ୍ ଉତ୍ପାଦନର ୭୨.୫% ଓଡ଼ିଶାରେ ରହିଛି । ରାଜ୍ୟରେ ଏକ ସୁଦୃଢ଼ ଆଲୁମିନିୟମ୍ ଶିଳ୍ପ ବ୍ୟବସ୍ଥା ଥିବାରୁ ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକ ଉପରେ ଠିକ୍ ସମୟରେ ନିଷ୍ପତି ନେଲେ ଆହୁରି ଅଧିକ ନିବେଶ ଆସିପାରିବ । ଏହାଦ୍ୱାରା ଆଲୁମିନିୟମ୍ ଉତ୍ପାଦନ ଓ ଏହାର ପରବର୍ତୀ ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବା ସହ ବ୍ୟାପକ ନିଯୁକ୍ତି ଓ ଆର୍ôଥକ ଅଭିବୃଦ୍ଧି ସମ୍ଭବ ହେବ ।

ଥିଙ୍କ୍ ଚେଞ୍ଜ ଫୋରମ୍‌ର ସେକ୍ରେଟାରୀ ଜେନେରାଲ୍ ଶ୍ରୀ ରଙ୍ଗାନାଥ ତନ୍ନିର କହିଛନ୍ତି, “ପୂର୍ବ ଭାରତରେ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ନୂଆ ଆର୍ôଥକ ସୁଯୋଗ ସୃଷ୍ଟି କରୁଛି । ଓଡ଼ିଶାର ପ୍ରଚୁର ଖଣିଜ ସମ୍ପଦ, ସୁଦୃଢ଼ ଶିଳ୍ପ ଭିତ୍ତିଭୂମି ଓ ବଡ଼ ନିବେଶ ସମ୍ଭାବନାକୁ ଉପଯୋଗ କରିବାର ଏହା ଉପଯୁକ୍ତ ସମୟ । ଏଥିପାଇଁ ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆଗେଇ ନେବା, ଖଣିଜଭିତିକ ଶିଳ୍ପର ସମ୍ପ୍ରସାରଣ ଏବଂ ବିଶେଷକରି ପଛୁଆ ଜିଲ୍ଲାଗୁଡ଼ିକରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଦରକାର । ବ୍ୟବସାୟ କରିବାର ସହଜତା ସହ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା, ସମୟୋଚିତ ଅନୁମୋଦନ ଓ ସମସ୍ୟାର ସମାଧାନ ମଧ୍ୟ ନିଶ୍ଚିତ କରିବାକୁ ହେବ । ଏହାଦ୍ୱାରା ଓଡ଼ିଶା ନିଜର ପ୍ରାକୃତିକ ସମ୍ପଦକୁ ଶିଳ୍ପ ଅଭିବୃଦ୍ଧି, ସ୍ଥାନୀୟ ନିଯୁକ୍ତି ଓ ଦୀର୍ଘସ୍ଥାୟୀ ଆର୍ଥିକ ସମୃଦ୍ଧିରେ ପରିଣତ କରିପାରିବ ।”

ରିପୋର୍ଟରେ ଶିଳ୍ପ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଛି । ମାର୍ଚ୍ଚ ୨୦୨୬ର ଓଡ଼ିଶା ବିଧାନସଭା ତଥ୍ୟ ଅନୁଯାୟୀ, ୨୦୧୬ରୁ ଏପର୍ଯ୍ୟନ୍ତ ୨୪.୨୮ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ସହ ୧,୦୭୩ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । କିନ୍ତୁ ଏଥିମଧ୍ୟରୁ ମାତ୍ର ୧୧୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ ୯୧୪ଟି ପ୍ରକଳ୍ପ ଏବେ ବି କାର୍ଯ୍ୟାନ୍ୱୟନ ପର୍ଯ୍ୟାୟରେ ଥିବାବେଳେ ୪୧ଟି ପ୍ରକଳ୍ପକୁ ପ୍ରତ୍ୟାହାର କିମ୍ବା ବାତିଲ କରାଯାଇଛି ।

ଥିଙ୍କ୍ ଚେଞ୍ଜ ଫୋରମ୍‌ର ଏହି ରିପୋର୍ଟରେ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ପାଞ୍ଚଟି ମୁଖ୍ୟ ପ୍ରାଥମିକତା ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା, ଖଣିଜ ପ୍ରକଳ୍ପ ସହ ଜଡ଼ିତ ପରିବେଶ ଓ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ଆଇନଗତ ନିଷ୍ପତିର ଶୀଘ୍ର ସମାଧାନ, ଉଚ୍ଚସ୍ତରୀୟ ହସ୍ତକ୍ଷେପ ଓ ଉତରଦାୟିତ୍ୱ ମାଧ୍ୟମରେ ପଡ଼ି ରହିଥିବା ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ସ୍ୱଚ୍ଛ ଓ ସମୟସୀମା ଆଧାରିତ ଅନୁମୋଦନ ବ୍ୟବସ୍ଥା ପ୍ରଚଳନ, ଖଣିଜଭିତିିକ ଶିଳ୍ପକୁ ଆନୁଷଙ୍ଗିକ ଉତ୍ପାଦନ ଓ ସ୍ଥାନୀୟ ନିଯୁକ୍ତି ସହ ଯୋଡ଼ିବା ଏବଂ କାର୍ଯ୍ୟକ୍ଷମ ପ୍ରକଳ୍ପ, ବାସ୍ତବ ନିବେଶ ଓ ସୃଷ୍ଟି ହୋଇଥିବା ନିଯୁକ୍ତି ଆଧାରରେ ଶିଳ୍ପର ସଫଳତା ମାପିବା ।

ରିପୋର୍ଟରେ ଦ୍ରୁତ ଶିଳ୍ପାୟନ ସହିତ ପରିବେଶ ଓ ସାମାଜିକ ସୁରକ୍ଷା ଏବଂ ଆଇନଗତ ନିୟମ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପ୍ରଚୁର ଖଣିଜ ସମ୍ପଦ, ସୁଦୃଢ଼ ଶିଳ୍ପ ଭିତିିଭୂମି ଓ ନିବେଶକଙ୍କ ଆଗ୍ରହକୁ ଉପଯୋଗ କରି ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପ ଓ ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ିଉଠିବାର ବିପୁଳ ସମ୍ଭାବନା ରଖିଛି ।

Comments are closed, but trackbacks and pingbacks are open.