ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ

124

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପରବର୍ତ୍ତୀ ଜନଗଣନା ସଂପୂର୍ଣ୍ଣ ଡିଜିଟାଲ ଉପାୟରେ ହେବ । ଏହାଦ୍ୱାରା ଶତକଡ଼ା ଶହେଭାଗ ସଠିକ ତଥ୍ୟ ମିଳିପାରିବ । ସେ କହିଛନ୍ତି ଜନ୍ମ ଓ ମୃତ୍ୟୁକୁ ଜନଗଣନାରେ ଅନ୍ତର୍ଭୁକ୍ତ କରାଯିବ । ମନ୍ତ୍ରୀ କହିଛନ୍ତି ଇଲେକ୍‍ଟ୍ରୋନିକ୍‍ ପ୍ରକ୍ରିୟାରେ ଜନଗଣନା କରାଯିବା ସହ ଜନ୍ମ ଓ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରିବା ସମୟରେ ସହଜରେ ତଥ୍ୟ ସଂଗ୍ରହ କରାଯାଇପାରିବ । ଶ୍ରୀ ଶାହା ଆସାମର କାମରୂପ୍‍ ଜିଲ୍ଲାରେ ଗତକାଲି ଜନଗଣନା ନିର୍ଦ୍ଦେଶାଳୟର ନୂଆ ଅଟ୍ଟାଳିକାକୁ ଉଦ୍‍ଘାଟନ କରିଥିଲେ ।


ଶ୍ରୀ ଶାହା କହିଛନ୍ତି ଡିଜିଟାଲ ଜନଗଣନା ପରବର୍ତ୍ତୀ ୨୫ ବର୍ଷ ପାଇଁ ଦେଶର ନୀତି ନିର୍ଦ୍ଧାରଣକୁ ନୂଆ ରୂପରେଖ ପ୍ରଦାନ କରିବ । ସେ କହିଛନ୍ତି କୋବିଡ ସଂକ୍ରମଣ ଯୋଗୁଁ ୨୦୨୧ ଜନଗଣନାରେ ବିଳମ୍ବ ଘଟିଥିଲା ଓ ୨୦୨୪ରେ ଏହା ସମ୍ପୂର୍ଣ୍ଣ ହେବ । ସଠିକ୍‍ ଜନଗଣନା ବିନା କୌଣସି ବିକାଶମୂଳକ କାର୍ଯ୍ୟ ପାଇଁ ଯୋଜନା ଓ ପ୍ରକଳ୍ପ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସେହି ନୂଆ ସଫ୍ଟଓୟାରକୁ ଜନ୍ମ ଓ ମୃତ୍ୟୁ ସହ ସଂଯୋଗ କରାଯାଇ ତାହାକୁ ବହୁମୁଖୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇ ପାରିବ ।


ଏହାଦ୍ୱାରା ଶିଶୁଟିଏ ଜନ୍ମ ଗ୍ରହଣ କଲେ ସେ ୧୮ ବର୍ଷ ବୟସରେ ପହଞ୍ଚିବା ବେଳେ ସ୍ୱୟଂକୃତ ଭାବେ ତାହାର ସମସ୍ତ ତଥ୍ୟ ଅପ୍‍ଡେଟ୍‍ ହୋଇପାରିବ । ସ୍ୱୟଂକୃତ ଭାବେ ତାହାର ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଯିବ । ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ସ୍ୱୟଂକୃତ ଭାବେ ତାଙ୍କର ନାମ ଭୋଟର ତାଲିକାରୁ କଟିଯିବ । ଲୋକମାନେ ସେମାନଙ୍କର ଘର ବଦଳାଇଲେ ତାହା ମଧ୍ୟ ସଫ୍ଟଓୟାରରେ ଅପଡେଟ୍‍ ହୋଇଯିବ ।

Comments are closed, but trackbacks and pingbacks are open.