ଶ୍ରୀଲଙ୍କାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ସ୍ଥିରତା ଏବଂ ଅର୍ଥନୈତିକ ପୁନରୁଦ୍ଧାର କ୍ଷେତ୍ରରେ ଭାରତ ସମ୍ପୂର୍ଣ୍ଣ ସହଯୋଗ କରିବ । ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦ ବାଗ୍ଚି କହିଛନ୍ତି, ପଡ଼ୋଶୀ ପ୍ରଥମେ ଏହି ନ୍ୟାୟରେ ଭାରତ ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ସାଢ଼େ ୩ ବିଲିୟନ୍ ଡଲାର୍ ଆର୍ଥିକ ସହାୟତା ଯୋଗାଇ ଦେଇଛି । ଆର୍ଥିକ ସଂକଟରୁ ମୁକୁଳିବା ପାଇଁ ଏହା ବେଶ୍ ସହାୟକ ହେବ ବୋଲି ଭାରତ ଆଶା ରଖିଛି । ସେହିଭଳି ଅତ୍ୟାବଶ୍ୟକୀୟ ସାମାଗ୍ରୀର ଅଭାବକୁ ଦୃଷ୍ଟିରେ ରଖି ଭାରତ ଶ୍ରୀଲଙ୍କାକୁ ଖାଦ୍ୟ ଏବଂ ଔଷଧ ପଠାଇଛି ବୋଲି ସେ କହିଛନ୍ତି । ଖୁବ୍ ଶୀଘ୍ର ଶ୍ରୀଲଙ୍କାବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ପୁଣି ସାମିଲ ହେବେ ବୋଲି ନୂଆଦିଲ୍ଲୀ ଆଶା କରିଛି ।
ଶ୍ରୀଲଙ୍କାରେ ଉତ୍ୟକ୍ତ ଲୋକମାନେ ଶାସକ ରାଜପକ୍ଷେ ଓ ବହୁ ସାଂସଦଙ୍କ ବାସଗୃହରେ ନିଆଁ ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ସେଠାରେ ଭୀଷଣ ସଂଘର୍ଷ ଘଟିଥିଲା । ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଏହା ସତ୍ତେ୍ୱ ବିକ୍ଷୋଭକାରୀମାନେ ଶାନ୍ତ ହୋଇନଥିଲେ ଓ ତାଙ୍କର ସରକାରୀ ବାସଭବନ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । କଲମ୍ବୋର ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି ।
ଲୋକମାନେ ଲୁହା ରଡ୍ ଓ ଲାଠି ଧରି ବିମାନ ବନ୍ଦର ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଶ୍ରୀଲଙ୍କାରେ ସାନ୍ଧ୍ୟ ଆଇନ ବୁଧବାର ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି ।
ଶ୍ରୀଲଙ୍କାରେ ଭୟଙ୍କର ଅର୍ଥନୈତିକ ସଂକଟ ଦେଖାଦେଇଛି । ସେଠାରେ ଅତ୍ୟାବଶ୍ୟକ ପଦାର୍ଥଗୁଡ଼ିକର ଦାମ୍ ଆକାଶଛୁଆଁ ଭାବେ ବୃଦ୍ଧି ପାଇଛି । ସାଧାରଣ ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଅସମ୍ଭବ ହୋଇପଡ଼ିଛି । ଦେଶର ବୈଦେଶିକ ବିନିମୟ ମୁଦ୍ରା ସଂଚୟ ପରିମାଣ ନାହିଁନଥିବା ଭାବେ ହ୍ରାସ ପାଇଥିବାରୁ ସେଠାକାର ଲୋକମାନେ ଖାଦ୍ୟ, ଔଷଧ ଓ ଇନ୍ଧନ ଭଳି ପଦାର୍ଥ କିଣିବା ସମ୍ଭବ ହେଉନାହିଁ । ଶ୍ରୀଲଙ୍କା ସରକାର ଜରୁରୀକାଳୀନ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ଦେଶର ଆର୍ଥିକ ସଂକଟ ପାଇଁ ଶ୍ରୀଲଙ୍କା ସରକାର କୋବିଡକୁ କାରଣ ଭାବେ ଦର୍ଶାଇଛନ୍ତି । କୋବିଡ ଯୋଗୁଁ ଶ୍ରୀଲଙ୍କାର ପର୍ଯ୍ୟଟନକ୍ଷେତ୍ର ବିପର୍ଯ୍ୟସ୍ତ ହୋଇପଡ଼ିଥିବାର ସେଠାକାର ସରକାର କହିଛନ୍ତି । ଶ୍ରୀଲଙ୍କାରେ ପର୍ଯ୍ୟଟନକ୍ଷେତ୍ର ଜାତୀୟ ଆୟର ଏକ ମୁଖ୍ୟ ସ୍ରୋତ । କିନ୍ତୁ ଶ୍ରୀଲଙ୍କାରେ ଅର୍ଥନୈତିକ କୁ-ପରିଚାଳନା ଆର୍ଥିକ ସଂକଟର ମୁଖ୍ୟ କାରଣ ବୋଲି ଲୋକମାନେ କହୁଛନ୍ତି ।
Comments are closed, but trackbacks and pingbacks are open.