ଧୋନୀ ୪ର୍ଥ ଥର ଓ କୋହଲି ୩ୟ ଥର ଖେଳିବେ ବିଶ୍ୱକପ
ମୁମ୍ବାଇ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେବାକୁ ଥିବା ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ ପାଇଁ ଚୟନକର୍ତ୍ତାମାନେ ମୁମ୍ବାଇରେ ସୋମବାର ୧୫ ଜଣିଆ ସଦସ୍ୟ ଥିବା ଟିମ ଘୋଷଣା କରିଛନ୍ତି । ଟିମ ଇଣ୍ଡଆରେ ୮ଜଣ ଖୋଳାଳି ପ୍ରଥମ ଥର ବିଶ୍ୱକପରେ ଭାଗ ନେବେ । ଆଉ ୭ଜଣ ଖେଳାଳି ଏମିତି ଅଛନ୍ତି, ଯେଉଁମାନେ ଏକାଧିକ ଥର ବିଶ୍ୱକପ ଟିମରେ ସାମିଲ ଅଛନ୍ତି ।
ଟିମରେ ମହେନ୍ଦ୍ର ସିଂହ ଧୋନି ସବୁଠାରୁ ଅଭିଜ୍ଞ ସଂପନ୍ନ ଏବଂ ବରିଷ୍ଠ ଖେଳାଳି ଅଟନ୍ତି । ଧୋନି ଚତୁର୍ଥ ଥର ପାଇଁ ବିଶ୍ୱ କପରେ ଭାଗ ନେଉଛନ୍ତି । ସେ ୨୦୦୭ରେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳି ଥିବା ବେଳେ ୨୦୧୧ରେ ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଜିତିଥିଲା ସେହିପରି କୁଲମ୍ୟାନ ଧୋନି ୨୦୧୫ରେ ମଧ୍ୟ ଅଧିନାୟକ ଭାବେ ବିଶ୍ୱକପ ଖେଳିଥିଲେ ।
ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟ ଏହା ତୃତୀୟ ବିଶ୍ୱକପ ହେବ । ୨୦୧୧ ଓ ୨୦୧୫ ରେ ବିରାଟ କେହଲି ବିଶ୍ୱକପରେ ସାମିଲ ଥିଲେ । ସେ ପ୍ରଥମ ଥର ଏହି ବିଶ୍ୱକପରେ ଅଧିନାୟକ ଦାୟିତ୍ୱ ତୁଲାଇବେ ।
ରୋହିତ ର୍ଶମା, ଶିଖର ଧବନ, ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା ଓ ଭୁବନେଶ୍ୱର କୁମାର ୨୦୧୫ ବିଶ୍ୱକପ ଟିମରେ ସାମିଲ ଥିଲେ । ଏହା ସେମାନଙ୍କ ପାଇଁ ଦ୍ୱିତୀୟ ସୁଯୋଗ, ଯେଉଁଥିରେ ସେମାନେ ବିଶ୍ୱକପରେ ଭାଗ ନେବେ ।
ଏହା ବ୍ୟତିତ କେ ଏଲ ରାହୁଲ, କେଦାର ଯାଦବ, ଦିନେଶ କାର୍ତ୍ତିକ, ବିଜୟ ଶଙ୍କର, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଯଶପ୍ରୀତ ବୁମରା ପ୍ରଥମ ଥର ବିଶ୍ୱକପରେ ଭାଗ ନେବାକୁ ଯାଉଛନ୍ତି । ଆଜିଙ୍କ୍ୟ ରାହାଣେ, ସୁରେଶ ରୈନା, ଅବନ୍ତି ରାୟଡୁ,ଷ୍ଟୁଆଟ ବିନ୍ନି, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ ଓ ମୋହିତ ର୍ଶମା ଏହା ସେହି ଖେଳାଳିମାନେ ଯେଉଁମାନେ ୨୦୧୫ରେ ଅଷ୍ଟ୍ରେଲିଆ- ନ୍ୟୁଜଲ୍ୟାଣ୍ଡରେ ଖେଳାଯାଇଥିବା ବିଶ୍ୱକପରେ ସାମିଲ ଥିଲେ କିନ୍ତୁ ଏହି ଆଠ ଜଣ ଖେଳାଳିଙ୍କୁ ଏହିଥର ଚୟନକର୍ତ୍ତାମାନେ ଟିମରେ ସାମିଲ କରିନାହାନ୍ତି ।