ଜାତୀୟ ମେଡ଼ିକାଲ କମିଶନ ବିଲ୍କୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ . – ଜାତୀୟ ମେଡ଼ିକାଲ କମିଶନ ବିଲ୍ ୨୦୧୯ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଲ୍ ଆଇନ୍ରେ ପରିଣତ ହେଲେ ବର୍ତ୍ତମାନ ପ୍ରଚଳିତ
ଇଣ୍ଡିଆନ୍ ମେଡ଼ିକାଲ କାଉନ୍ସିଲ ଆଇନ୍ ୧୯୫୬ ବଦଳରେ କାର୍ଯ୍ୟକାରୀ ହେବ। ବିଲ୍ ଅନୁଯାୟୀ ମେଡ଼ିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ ଏମ୍ସିଆଇ ବଦଳରେ ଏକ ଜାତୀୟ ମେଡ଼ିକାଲ କମିଶନ ପ୍ରତିଷ୍ଠା କରାଯିବ। ଏହି ବିଲ୍ ଅନୁଯାୟୀ ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ଏବଂ ଫି’ ମଧ୍ୟ ହ୍ରାସ ପାଇବ। ଜାତୀୟ ମେଡ଼ିକାଲ କମିଶନ ଅଧୀନରେ ୪ଟି ସ୍ୱାୟତ୍ତ ବୋର୍ଡ ରହିବ। ଯାହା ମାଧ୍ୟମରେ ବିଭିନ୍ନ ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯିବ। ସେଗୁଡ଼ିକ ହେଲା ସ୍ନାତ୍ତକ ଡାକ୍ତରୀ ଶିକ୍ଷା ବୋର୍ଡ, ସ୍ନାତକୋତ୍ତର ଡାକ୍ତରୀ ଶିକ୍ଷା ବୋର୍ଡ, ମେଡିକାଲ ଆସସ୍ମେଣ୍ଟ ଓ ରେଟିଂ ବୋର୍ଡ ଏବଂ ନୀତି ଓ ମେଡ଼ିକାଲ ପଞ୍ଜିକରଣ ବୋର୍ଡ। ସ୍ୱାୟତ୍ତ ବୋର୍ଡର କ୍ଷମତା ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ଏଥିରେ ୨ଜଣ ଅସ୍ଥାୟୀ ସଦସ୍ୟ ରହିବେ।