ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରଣକ୍ଷେତ୍ରକୁ ଓହ୍ଲାଉଛନ୍ତି । ମୋଦୀ ଆଜି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ କଶ୍ମୀରରେ ଜନସଭା ଏବଂ ରାଲି କରିବେ । ତିନିଟି ରାଜ୍ୟରେ ନିର୍ବାଚନୀ ହୁଙ୍କାର କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲାର ଜୟପୁର ଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ସେହିଭଳି ମୋଦୀ ଏପ୍ରିଲ ୨ରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ଆଜି ପୂର୍ବାହ୍ଣ ୧୧ଟାରେ ଉତ୍ତର ପ୍ରଦେଶର ମେରଠରେ ମୋଦୀ ପ୍ରଥମେ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ମେରଠର ମୋଦୀପୁରମ ନିକଟରେ ରୁରୁକୀ ରୋଡରେ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ଣରେ ଉତ୍ତରାଖଣ୍ଡର ରୁଦ୍ରପୁର ଅଭିମୁଖେ ବାହାରିବେ । ରୁଦ୍ରପୁରରେ ପ୍ରଧାନମନ୍ତ୍ରୀ ମୋଦୀ ମଇଦାନରେ ଜନସଭାକୁ ସମ୍ବୋଧିତ କରିବେ । ଶେଷରେ ପ୍ରଧାନମନ୍ତ୍ରୀ ଜମ୍ମୁକଶ୍ମୀରରେ ସନ୍ଧ୍ୟାରେ ଡୁଡମୀ ପଂଚାୟତ, ଭାଲୱାଲ ତହସିଲ, ଅଖନୁର ବ୍ରିଜ ନିକଟରେ ବିଶାଳ ରାଲିକୁ ସମ୍ବୋଧିତ କରିବେ ।
ଭାରତୀୟ ଜନତା ପାର୍ଟି ମିଡିଆ ପ୍ରକୋଷ୍ଠର ମୁଖ୍ୟ ଅନିଲ ବଲୁନୀ କହିଛନ୍ତି, ଦଳ ‘ମେରା ପରିବାର ଭାଜପା ପରିବାର’, ‘ମହାସଂପର୍କ ଅଭିଯାନ’, ‘କମଲ ଜ୍ୟୋତି ଦିପାବଳୀ’ ଏବଂ ‘ବିଜୟ ସଂକଳ୍ପ ବାଇକ ରାଲି’ ମାଧ୍ୟମରେ ଦେଶର ୧୦ କୋଟି ଜନତାଙ୍କ ନିକଟତର ହୋଇଛି ।
ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ବିଜେପି ପକ୍ଷରୁ ନୂଆଦିଲ୍ଲୀର ୪ଟି ସ୍ଥାନରେ ବିଶାଳ ରାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ କହିଛନ୍ତି, ରାଲି ପାଇଁ ୫ଟି ସ୍ଥାନ ଚୟନ କରାଯାଇଛି, ଏଥି ପାଇଁ କେନ୍ଦ୍ରୀୟ ନେତୃତ୍ୱକୁ ଅନୁମତି ମଗାଯାଇଛି । ସେ କହିଛନ୍ତି ଦିଲ୍ଲୀରେ ନରେନ୍ଦ୍ର ମୋଦୀଙ୍କ ୪ ଜନସଭାର ଆୟୋଜନ ହେବ । ମୁଁ ଆଶା କରୁଛି ଯେ, ଅତିକମରେ ୨ଟିକୁ ମଂଜୁରୀ ମିଳିଯିବ ।