ଆଗାମୀ ଦିନରେ ଶିଳ୍ପାୟନ ଦୃଷ୍ଟିକୋଣରୁ ଶୀର୍ଷ ୫ ସ୍ଥାନରେ ରହିବ ରାଜ୍ୟ : ମୁଖ୍ୟମନ୍ତ୍ରୀ

36

ଭୁବନେଶ୍ୱର : ଟାଇମ୍ସ ଗ୍ରୁପ ପକ୍ଷରୁ ଅନୁଷ୍ଠିତ ଟାଇମ୍ସ ବିଜନେସ ଆୱାର୍ଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୧୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଶିଳ୍ପ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ୫ବର୍ଷରେ ରାଜ୍ୟ ୫ଲକ୍ଷ କୋଟିର ପୁଞ୍ଜିନିବେଶ ଆକର୍ଷିତ କରିପାରିବ ଏବଂ ଆଗାମୀ ଦିନରେ ଶିଳ୍ପାୟନ ଦୃଷ୍ଟିକୋଣରୁ ରାଜ୍ୟ ଶୀର୍ଷ ୫ ସ୍ଥାନରେ ରହିବ ବୋଲି ଶ୍ରୀ ମାଝି କହିଛନ୍ତି । ଅଭିଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସ୍ୱର୍ଗତ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି ଯେ, ଦେଶ ତାଙ୍କୁ ସର୍ବଦା ଶିଳ୍ପର ଜଣେ ମହାନ ପ୍ରତିନିଧି ବା ଚାଣକ୍ୟ ଭାବେ ମନେ ରଖିବ । ଅସଂଖ୍ୟ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ସେ ଜଣେ ଆଦର୍ଶ । ଓଡ଼ିଶାରେ ଟାଇମ୍ସ ବିଜନେସ ଆୱାର୍ଡ ଭଳି ଏକ ସମ୍ମାନଜନକ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏହି ପୁରସ୍କାର ଓଡ଼ିଶାର ବ୍ୟବସାୟିକ ପ୍ରତିନିଧି ଏବଂ ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରୁଛି ।

ଉକ୍ତ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଟାଇମ୍ସ ଅଫ ଇଣ୍ଡିଆର ଚିଫ ବିଜନେସ ଅଫିସର ରୋହିତ ଧର, ଉତର ଓ ପୂର୍ବର ମୁଖ୍ୟ ଅଭିନବ ଗୁପ୍ତା, ଆଲାଏନ୍ସ ପ୍ରାଂଚାଇଜି ଡୁ ବାଙ୍ଗାଲୋରର ନିର୍ଦ୍ଦେଶକ ନିକୋଲାସ ଫାସିନୋ, ଓଏମଏସ ଡିଭିଜନ ମୁଖ୍ୟ ମନୋଜ ଦାସ, ଓଡ଼ିଶା ବାଇଟ୍ସର ଗ୍ରୁପ ଏଡିଟର ସନ୍ଦୀପ ମିଶ୍ରଙ୍କ ସମେତ ରାଜ୍ୟ ତଥା ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । 

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହା ହେଉଛି ଏଭଳି ଏକ ପ୍ଲାଟଫର୍ମ ଯାହା ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ  ନିଜ ଭବିଷ୍ୟତ ପାଇଁ ବିନିଯୋଗ କରିବାକୁ ଏବଂ ରାଜ୍ୟ ତଥା ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ କରିବାକୁ ପ୍ରେରଣା ଯୋଗାଉଛି । ଓଡ଼ିଶାରେ ଅନେକ ଖଣିଜ ପଦାର୍ଥ, କଂଚାମାଲ ଏବଂ ଅନ୍ୟାନ୍ୟ ସମ୍ପଦ ଭରପୂର ରହିଥିବାରୁ ଶିଳ୍ପାୟନକୁ ଆଉପାଦେ ଆଗକୁ ନେଇଯିବାକୁ ଉଦ୍ୟମ ଜାରି ରହିଛି । ବର୍ତମାନ ସେମିକଣ୍ଡକ୍ଟର, ଇଏସଡିଏମ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଭଳି ନୂତନ ଶିଳ୍ପ ଯୁଗରେ ଓଡ଼ିଶା ଆଗକୁ ବଢ଼ୁଛି ।

ଏ ଦିଗରେ ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଶିଳ୍ପ ପ୍ରତିନିଧିମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଶିଳ୍ପ ପ୍ରତିନିଧିମାନଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି । ଶିଳ୍ପସଂସ୍ଥାଗୁଡ଼ିକୁ ଓଡ଼ିଶାରେ ସବୁପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ପ୍ରତିବଦ୍ଧ । ଶିଳ୍ପାୟନ ଧାରାକୁ ତ୍ୱରାନ୍ୱିତ କରିବା ଲାଗି ନୀତି ଆୟୋଗ ସହ ମିଳିତ ହୋଇ ରାଜ୍ୟ ୨ଟି ଭିଜନ ଡକ୍ୟୁମେଂଟ ଏବେ ପ୍ରସ୍ତୁତ କରୁଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ରାଜ୍ୟ ସରକାର ଅଦ୍ୟାବଧି ୪୫ ହଜାର କୋଟିର ନିବେଶ ଆକୃଷ୍ଟ କରିଛନ୍ତି । ଏହି ବିନିଯୋଗଗୁଡ଼ିକ ୩୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ।

ଖଣି ଏବଂ ଖଣିଜ କ୍ଷେତ୍ର ବ୍ୟତୀତ, କେମିକାଲ୍ସ ଏବଂ ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି, ଟେକ୍ସଟାଇଲ, ସିମେଂଟ, ପ୍ଲାଷ୍ଟିକ, ଫାର୍ମାସ୍ୟିଟୁକାଲ୍ସ, ଏବଂ ଇଲେକ୍ଟ୍ରୋନିକ ସିଷ୍ଟମ ଡିଜାଇନ ଏବଂ ଉତ୍ପାଦନରେ ରଣନୀତିକ କ୍ଷେତ୍ରରେ ବିନିଯୋଗ ପାଇଁ ମଧ୍ୟ ରାସ୍ତା ପ୍ରସ୍ତୁତ କରାଯାଉଛି ।  ମୁଖ୍ୟମନ୍ତ୍ରୀ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ସେମାନଙ୍କର ସଫଳତା କାମନା କରିଛନ୍ତି ।

ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ଲାଗି ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଉପସ୍ଥିତ ରହି ଉଦ୍ୟୋଗୀଙ୍କୁ ପୁରସ୍କୃତ କରିଥିଲେ ।

Comments are closed, but trackbacks and pingbacks are open.