ମୋଦିଙ୍କୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ
ନ୍ୟୁୟର୍କ- ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ ଦୈନଦିନ ଜୀବନର ଅଂଶବିଶେଷ ଭାବେ ପରିଣତ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦ୍ଦେଶ୍ୟରେ ଏହି ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି।
“ଭାରତର ଜନସାଧାରଣଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇଛି। ସେମାନେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିଦେଲେ ଯାହାଫଳରେ କି ଇପ୍ସିତ ଫଳ ମିଳିଲା,” ବୋଲି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ଗ୍ରହଣ କରିବା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ସ୍ୱଚ୍ଛ ଭାରତ ଅଭିଯାନ ଏକ ପ୍ରମାଣ
ଯେ ଯେତେବେଳେ ୧୩୦ କୋଟି ଭାରତୀୟ ଶପଥ ନିଅନ୍ତି, ସେତେବେଳେ ଯେକୌଣସି ଆହ୍ୱାନର ସମାଧାନ କରିହେବ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୁରଣ କରିବାରେ ଭାରତ ଅନେକ ପ୍ରଗତି କରିଥିବା ସେ ପ୍ରକାଶ କରିଛନ୍ତି ।
“ଗତ ୫ ବର୍ଷ ମଧ୍ୟରେ ୧୧ କୋଟିରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ହୋଇଛି ଯାହାକି ଏକ ରେକର୍ଡ । ଏହି ମିଶନ ବିଶେଷକରି ଦେଶରେ ଗରିବ ଓ ମହିଳାମାନଙ୍କୁ ଲାଭ ପ୍ରଦାନ କରିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ
କରିଛନ୍ତି।