ନୂଆଦିଲ୍ଲୀ ୦୭।୦୪ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି ।
ଏହି ନିଷ୍ପତ୍ତି ଅନୁସାରେ ଦେଶର ଶାସନ ପ୍ରକ୍ରିୟାର ଶୀର୍ଷରେ ଥିବା ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଦରମା ୩୦ ପ୍ରତିଶତ ହ୍ରାସ ହେବ । ସେହିଭଳି ସାଂସଦ ପାଣ୍ଠି ୨ ବର୍ଷ ଯାଏ ସ୍ଥଗିତ ରଖାଯିବ । ଏହି ପାଣ୍ଠିର ଅର୍ଥ କରୋନା ମୁକାବିଲା ପାଇଁ ବ୍ୟବହାର କରାଯିବ ।
ସେହିଭଳି ଭାରତରେ କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରୀକ୍ଷା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ – ଆଇ.ସି.ଏମ୍.ଆର୍.କୁ ପ୍ରାୟ ୭ ଲକ୍ଷ କିଟ୍ ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୮ ତାରିଖ ସୁଦ୍ଧା ୫ ଲକ୍ଷ କିଟ୍ ମିଳିବ ସମ୍ଭାବନା ଥିବା ଜଣାପଡ଼ିଛି ।