ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ କୋଭିଡ-୧୯ ଅଗ୍ରୀମ ଉଠାଣ ପାଇଁ ଅନୁମତି – କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି

0 1,005

କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀ ସମୟରେ ନିଜର ଉପଭୋକ୍ତାମାନଙ୍କୁ ସହାୟତା କରିବା ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଆଗେଇ ଆସିଛି। ଇପିଏଫଓ ସଦସ୍ୟମାନଙ୍କୁ ଦ୍ୱିତୀୟ ନନ-ରିଫଣ୍ଡେବଲ (ଅଣଫେରସ୍ତଯୋଗ୍ୟ) କୋଭିଡ-୧୯ ଅଗ୍ରିମର ଲାଭ ନେବା ନିମନ୍ତେ ଅନୁମତି ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାର୍ଚ୍ଚ ୨୦୨୦ରେ ସ୍ୱତନ୍ତ୍ର ଉଠାଣ ସୁବିଧା ଇପିଏଫଓ ସଦସ୍ୟମାନଙ୍କୁ ଦିଆଯାଇଥିଲା। ମହାମାରୀ ସମୟରେ ସେମାନଙ୍କର ବିତ୍ତୀୟ ଆବଶ୍ୟକତା ପୂରଣ କରିବା ଲାଗି ଏହି ସୁବିଧା କରାଯାଇଥିଲା। ଏଥିପାଇଁ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟ ନିଧି ଯୋଜନା, ୧୯୫୨ରେ ସଂଶୋଧନ କରାଯାଇଥିଲା। ଏହାପରେ ସରକାରୀ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ପାରାଗ୍ରାଫ ୬୮ ଏଲ ଅଧୀନରେ ଉପ-ପାରା (୩) ଯୋଡ଼ା ଯାଇଥିଲା।

ଏହି ବ୍ୟବସ୍ଥା ଅନ୍ତର୍ଗତ ମୂଳ ବେତନ ଏବଂ ମହଙ୍ଗା ଭତ୍ତାର ସୀମା ପର‌୍ୟ୍ୟନ୍ତ ଅଣଫେରସ୍ତଯୋଗ୍ୟ ଉଠାଣ କିମ୍ବା ଇପିଏଫଓ ଖାତାରେ ସଦସ୍ୟମାନଙ୍କ ଜମାରାଶିର ୭୫ ପ୍ରତିଶତ ପର‌୍ୟ୍ୟନ୍ତ, ଯାହା କମ ହୋଇଥିବ, ତିନି ମାସ ପାଇଁ ଦିଆଯାଇଥାଏ। ସଦସ୍ୟ ଏହାଠାରୁ କମ୍ ଅର୍ଥରାଶି ନିମନ୍ତେ ମଧ୍ୟ ଆବେଦନ କରିପାରିବେ।

କୋଭିଡ-୧୯ ଅଗ୍ରୀମ ମହାମାରୀ ସମୟରେ ଇପିଏଫ ସଦସ୍ୟମାନଙ୍କୁ ବଡ଼ ସହାୟତା ପ୍ରଦାନ କରୁଛି। ବିଶେଷ କରି ସେହିମାନଙ୍କୁ ଯେଉଁମାନଙ୍କର ମାସିକ ବେତନ ୧୫,୦୦୦ ଟଙ୍କାରୁ ମଧ୍ୟ କମ୍। ଇପିଏଫଓ ବର୍ତ୍ତମାନସୁଦ୍ଧା ୭୬.୩୧ ଲକ୍ଷ କୋଭିଡ ଅଗ୍ରିମ ଦାବି ସମାଧାନ କରିପାରିଛି ଏବଂ ମୋଟ ୧୮,୬୯୮.୧୫ କୋଟି ଟଙ୍କା ବିତରଣ କରାଯାଇସାରିଛି।

କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀ ସମୟରେ ନିକଟରେ ‘ମ୍ୟୁକୋର୍ମିକୋସିସ’ ବା ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷିତ କରାଯାଇଛି। ଏଭଳି କଠିନ ପରିସ୍ଥିତିରେ ନିଜର ସଦସ୍ୟମାନଙ୍କର ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ଲାଗି ଇପିଏଫଓ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି। ପ୍ରଥମ କୋଭିଡ-୧୯ ଅଗ୍ରିମର ଲାଭ ଉଠାଇଥିବା ସଦସ୍ୟ ଦ୍ୱିତୀୟ କୋଭିଡ-୧୯ ଅଗ୍ରିମର ବିକଳ୍ପ ମଧ୍ୟ ଚୟନ କରିପାରିବେ। ଦ୍ୱିତୀୟ କୋଭିଡ-୧୯ ଅଗ୍ରିମର ବ୍ୟବସ୍ଥା ଓ ପ୍ରକ୍ରିୟା ପ୍ରଥମ ଅଗ୍ରିମ ଉଠାଣର ବ୍ୟବସ୍ଥା ଭଳି କରାଯାଇଛି।

ଏହି ସଙ୍କଟ ସମୟରେ ସଦସ୍ୟମାନଙ୍କୁ ଆର୍ଥିକ ସହଯୋଗର ଆବଶ୍ୟକତା ପ୍ରତି ବିଚାର କରି କୋଭିଡ-୧୯ ଦାବିଗୁଡ଼ିକୁ ଉଚ୍ଚ ପ୍ରାଥମିକତା ଦିଆଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦାବିଗୁଡ଼ିକୁ ପ୍ରତି ତିନି ମାସ ମଧ୍ୟରେ ସମାଧାନ କରିବା ପ୍ରତି ଇପିଏଫଓ ସଂକଳ୍ପବଦ୍ଧ। ଏଥିପାଇଁ ଇପିଏଫଓ ପକ୍ଷରୁ ଏଭଳି ସମସ୍ତ ସଦସ୍ୟଙ୍କ ଲାଗି ଏକ ପ୍ରକ୍ରିୟା ପରିଚାଳିତ ଅଟୋ କ୍ଲେମ ସେଟଲମେଣ୍ଟ ବ୍ୟବସ୍ଥାକୁ କାର‌୍ୟ୍ୟକ୍ଷମ କରିଛି, ଯାହାର କେଓ୍ବାଇସି ଆବଶ୍ୟକତା ସବୁଦୃଷ୍ଟିରୁ ପରିପୂର୍ଣ୍ଣ ଅଟେ। ଅଟୋମୋଡ୍ ସମାଧାନ ଇପିଏଫଓକୁ ୨୦ ଦିନ ମଧ୍ୟରେ ଦାବି ସମାଧାନର ବୈଧାନିକ ଆବଶ୍ୟକତା ପରିବର୍ତ୍ତେ ସମାଧାନ ପ୍ରକ୍ରିୟାକୁ ମାତ୍ର ତିନି ଦିନ ମଧ୍ୟରେ ସାରିବାକୁ ସକ୍ଷମ କରିପାରିଛି।

 
Leave A Reply